ବାହାହେଲେ ‘ଆଇରନ୍ ଲେଡି’ ! ନିଜ ପ୍ରିୟ ବନ୍ଧୁକୁ ଇରୋମ ଶର୍ମିଲା କଲେ ଜୀବନସାଥୀ

20

ମଣିପୁରର ପରିଚିତ ମାନବାଧିକାର କର୍ମୀ ଇରୋମ ଶର୍ମିଲା ୪୫ ବର୍ଷ ବୟସରେ ତାଙ୍କର ବହୁ ଦିନର ବନ୍ଧୁ ୫୫ବର୍ଷୀୟ ବ୍ରିଟିଶ ନାଗରିକ ଡେସମଣ୍ଡ କୋଟିନହୋଙ୍କୁ ବିବାହ କରିଛନ୍ତି । ଡେସମଣ୍ଡ ହେଉଛନ୍ତି ଜଣେ ମାନବାଧିକାର କର୍ମୀ । ଗୁରୁବାର ତାମିଲନାଡୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ କୋଡାଇକେନାଲ ଠାରେ ସେମାନଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି ।

ସ୍ଥାନୀୟ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ସେମାନେ ଆଇନଗତ ଭାବେ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଭୟଙ୍କର ପରିବାର ସଦସ୍ୟଙ୍କୁ ଛାଡି କିଛି ସହକର୍ମୀ ଓ ବନ୍ଧୁ ଉପସ୍ଥିତ ଥିଲେ । ଗତ ଦୁଇ ମାସ ହେଲା ଉଭୟ କୋଡାଇକେନାଲ ଠାରେ ଅବସ୍ଥାନ କରୁଥିଲେ । ବିଶିଷ୍ଟ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଦିବ୍ୟା ଭାରତୀ ସେମାନଙ୍କ ସହିତ ଥିଲେ। ଶର୍ମିଲା ମଣିପୁରରୁ ସ୍ୱତନ୍ତ୍ର ସେନା ଆଇନ୍ (ଆଫସ୍ପା) ପ୍ରତ୍ୟାହାର ଦାବିରେ ଦୀର୍ଘ ୧୬ବର୍ଷ କାଳ ଧରି ଅନଶନ ଚଳାଇଥିଲେ । ଗତ ବର୍ଷ ଅନଶନ ଭାଂଗି ପ୍ରତ୍ୟକ୍ଷ ରାଜନୀତିରେ ସାମିଲ୍ ହୋଇଥିଲେ । ନିଜସ୍ୱ ଦଳ ଗଠନ କରି ବିଧାନସଭା ନିର୍ବାଚନ ଲଢିଥିଲେ ।

ଏହି ନିର୍ବାଚନରେ ମାତ୍ର ୯୦ଟି ଭୋଟ ପାଇ ଶୋଚନୀୟ ପରାଜୟ ବରଣ ପରେ ରାଜନୀତି ଛାଡି ବିବାହ ଓ ବ୍ୟକ୍ତିଗତ ଜୀବନ କଥା ଚିନ୍ତା କରିଥିଲେ । ଡେସମଣ୍ଡଙ୍କ ସହିତ ବିବାହକୁ ତାଙ୍କ ପରିବାର ପରମ୍ପରାର ପରିପନ୍ଥୀ ଦର୍ଶାଇ ବିରୋଧ କରିଥିଲେ ଏବଂ ପରେ ଏଥିପ୍ରତି ଉଦାରତା ପ୍ରଦର୍ଶନ କରିଛନ୍ତି । ଶର୍ମିଲାଙ୍କର ନିଜ ଭବିଷ୍ୟତ ନିର୍ଦ୍ଧାରଣ କରିବା ଓ ନିଜସ୍ୱ ଶୈଳୀରେ ବଂଚିବା ଅଧିକାର ରହିଛି ବୋଲି ଇମ୍ଫାଲରେ ଥିବା ତାଙ୍କ ଭାଇ ଇରୋମ ସିଂହଜିତ୍ କହିଛନ୍ତି । ଶର୍ମିଲା ଖୁସିରେ ରହିବେ ବୋଲି ତାଙ୍କ ମା’ ଆଶାବ୍ୟକ୍ତ କରିଛନ୍ତି । (ସୌଜନ୍ୟ – ଦ ଇଣ୍ଡିଆନ୍ ଏକ୍ସପ୍ରେସ୍)