ଗୋଟିଏ ମଞ୍ଚରେ ଏକାଠି ହେଲେ ବିଦାୟୀ ଗରିବ ମୁଖ୍ୟମନ୍ତ୍ରୀ ଓ ଧନୀ ଦଳର ପ୍ରଧାନମନ୍ତ୍ରୀ ! ତ୍ରିପୁରାରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ

41

ତ୍ରିପୁରାରେ ନୂଆ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଶପଥ ଉତ୍ସବରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଦୁଇ ବିପରିତ ଚିନ୍ତାଧାରାର ନେତା ଏକାଠି ଗୋଟିଏ ମଂଚରେ ବସିଥିଲେ । ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ, ମୁରଳି ମନୋହର ଯୋଶୀ ଓ ରାଜନାଥ ସିଂଙ୍କ ଗହଣରେ ବସିଥିଲେ ବିଦାୟୀ ମୁଖ୍ୟମନ୍ତ୍ରୀ ମାଣିକ ସରକାର । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବେଶ୍ ବନ୍ଧୁତ୍ୱପୂର୍ଣ୍ଣ ଭାବେ କରମର୍ଦ୍ଦନ କରିଥିଲେ ଏବଂ ସଭାସ୍ଥଳ ଛାଡିବା ବେଳେ ପ୍ରଟୋକଲ ଭାଙ୍ଗି ମାନିକ ସରକାରଙ୍କୁ ବାଟେଇ ଦେଇଥିଲେ ।

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଗୋଟିଏ ମଂଚରେ ଏକାଠି ହୋଇଥିଲେ ଉତର ମେରୁ ଦକ୍ଷିଣ ମେରୁ ଭଳି ଦୁଇ ବିଚାରଧାରାର ପ୍ରମୁଖ ଚେହେରା । ଗୋଟିଏ ପଟେ ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଲେନିନଙ୍କ ପ୍ରତିମୂର୍ତି ଭଙ୍ଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ରହିଥିବା ବେଳେ ବିପ୍ଲବ ଦେବଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ମାନିକ ସରକାର ।

ବାହାରେ ମାନିକ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ବିଜେପିର ବହୁ ତୁଙ୍ଗ ନେତା ଶପଥ ଗ୍ରହଣ ଉତ୍ସବକୁ ପାଛୋଟି ନେଇଥିଲେ ଦେଶର ଏହି ଗରିବ ନେତାଙ୍କୁ । ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଗହଣରେ ବସିଥିଲେ ମାନିକ ସରକାର । ବେଶ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ମିଳାଇଥିଲେ ତ୍ରିପୁରାର ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ସହ । ଏହି ଦୃଶ୍ୟ ଭାରତୀୟ ରାଜନୀତିର ସକରାତ୍ମକ ଦିଗକୁ ଇଂଗିତ କରୁଥିଲା ।

ଶପଥ ଗ୍ରହଣ ଉତ୍ସବକୁ ଆସିବା ଲାଗି ମାନିକ ସରକାରଙ୍କୁ ନିମନ୍ତ୍ରଣ କରିବାକୁ କମ୍ୟୁନିଷ୍ଟ ପାର୍ଟି ଅଫିସରେ ଥିବା ତାଙ୍କର ଏକ କୋଠରୀ ବିଶିଷ୍ଟ ଘରକୁ ବିଜେପି ନେତା ରାମମାଧବଙ୍କ ସହ ନିଜେ ଯାଇଥିଲେ ବିପ୍ଲବ ଦେବ । ସେପଟେ ନୂଆ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାଜ୍ୟବାସୀଙ୍କୁ ଦେଖାଇଛନ୍ତି ବିକାଶର ସ୍ୱପ୍ନ । ରାଜ୍ୟର ବିକାଶ ଲାଗି ଉତରଦାୟୀ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିପ୍ଲବ ଦେବ । ୨୫ ବର୍ଷର ବାମଗଡ଼ ଧୁଳିସାତ ହେବା ପରେ ତ୍ରିପୁରାରେ ଆରମ୍ଭ ହୋଇଛି ଗୈରିକ ଶାସନ ।