ବାଘ ଅଛି ଚାପରେ ! ନନ୍ଦନକାନନରେ ନୂଆପଡାର ନରଖାଦକ

25

କନକ ବ୍ୟୁରୋ : ନୂଆପଡାରୁ ଧରାହୋଇ ଆସିଥିବା କଲରାପତରିଆ, ଚିଡିଆଖାନାରେ ଭୀଷଣ ଚାପରେ ରହିଛି । ଏପରିକି ଇଂରାଜୀରେ ‘ଷ୍ଟ୍ରେସ୍’ରେ ରହିଥିବା ଉଲ୍ଲେଖ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଦୀର୍ଘ ଦେଢମାସ ଧରି ବନ କର୍ମଚାରୀଙ୍କୁ ଚକମା ଦେଇଆସୁଥିବା ଜଙ୍ଗଲି ଜନ୍ତୁ ଶେଷରେ ଖୁଆଡରେ ପଶିଛି । ସୁନାବେଡା ବନଖଣ୍ଡରୁ ଏହି କଲରାପତରିଆକୁ ସୋମବାର ସକାଳ ୭ଟା ୪୫ରେ ନନ୍ଦନକାନନକୁ ଅଣାଯାଇଥିଲା । ନୂଆପଡା ଜଙ୍ଗଲ ଓ ଏହା ଆଖପାଖ ଜନବସତିରେ ଶିକାର କରୁଥିବା ଏହି ଜଙ୍ଗଲି ଜନ୍ତୁକୁ ଆଣି ଆଇସୋଲେସନ୍ ୱାର୍ଡରେ ରଖାଯାଇଛି ।

ବନ କର୍ମଚାରୀ ଜଙ୍ଗଲି ଜନ୍ତୁଟିକୁ କାବୁ କରିବା ସମୟରେ ଦୁଇପଟ ନାକରେ ଆଘାତ ଲାଗିଛି । ସେଥିପାଇଁ ପଶୁ ଡାକ୍ତରଙ୍କ ସ୍ୱତନ୍ତ୍ର ନିରୀକ୍ଷଣରେ ରହିଛି ନରଖାଦକ । ପ୍ରାୟେ ସପ୍ତାହେ ପର୍ଯ୍ୟନ୍ତ ବାଘଟିକୁ ଏଭଳି ଆଇସୋଲେସନ ୱାର୍ଡରେ ରଖାଯିବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି । ବାଘଟି ଅଣ୍ଡିରା ଓ ବୟସ ପ୍ରାୟ ୭ବର୍ଷ ବୋଲି ସୂଚନା ଦିଆଯାଇଛି । ଜଙ୍ଗଲରୁ ଆସି ଜନବସତିରେ ଶିକାର କରୁଥିବା ଏହି ପଶୁ ସ୍ୱଭାବରେ ଖୁବ ହିଂସ୍ର । ତେଣୁ ତାକୁ ଅନ୍ୟ ବାଘମାନଙ୍କ ସହ ଛଡାଯିବାକୁ ଆହୁରି କିଛିଦିନ ସମୟ ଲାଗିବ ।

ଏହି ନରଖାଦକ ନୂଆପଡା ହଳଦୀ ଗାଁରେ ଜଣେ ୪ ବର୍ଷ ଶିଶୁକୁ ମାଆ କୋଳରୁ ଉଠାଇ ନେଇଥିଲା । ସେହିପରି ଫରେ ପଶି ମାଆ ଓ ନାତୁଣୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲା । ଶିକାର ସନ୍ଧାନରେ ଗାଁ ଆଖପାଖରେ ଘୁରି ବୁଲୁଥିଲା । ଶେଷରେ କବଜାକୁ ଆସିଛି ସେହି କଲରାପତରିଆ । ଆଗକୁ ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିବ ଏହି ହିଂସ୍ର ପଶୁ ।