ନିର୍ଦ୍ଧାରିତ ସମୟ ପରେ ବି କଳାହାଣ୍ଡିରେ ଖୋଲିନି ମଣ୍ଡି : ପ୍ରଶାସନ ଓ ମିଲରଙ୍କ ବିବାଦରୁ ଫାଇଦା ଉଠାଉଛନ୍ତି ଦଲାଲ, କମ୍  ଦରରେ ଧାନି ବିକି କ୍ଷତି ସହୁଛନ୍ତି ଚାଷୀ

60

କନକ ବ୍ୟୁରୋ : ଚାଷ ହେଉବା ଫସଲ ବିକ୍ରି ସବୁ ପାଇଁ ସବୁବେଳେ ସମସ୍ୟାରେ ଘାଂଟି ହେଉଛନ୍ତି ଚାଷୀ । ସେ ଖରିଫ ଫସଲ ହେଉ ବା ରବି ଫସଲ ସବୁବେଳେ କଳାହାଣ୍ଡିର ଅଧିକାଂଶ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି । ଏଇ ଏବେ ଯେମିତି ରବି ରିତୁରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି । ଖଳାରୁ ଚାଷୀର ପରିଶ୍ରମକୁ ଖୁବ୍ କମ୍ ଦରରେ କିଣି ନେଉଛି ଦଲାଲ୍ ।

କଳାହାଣ୍ଡି ଜିଲ୍ଲାରେ ରବି ଧାନ ଅମଳ ପରେ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି ଚାଷୀ । ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଦଲାଲ ହାବୁଡରେ ପଡିଥିବା ଅଭିଯୋଗ ହୋଇଛି । ମେ ୧ ତାରିଖରେ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବ ବୋଲି ଯୋଗାଣ ବିଭାଗ ଘୋଷଣା କରିଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଧାନ ଅମଳ ହୋଇନଥିବା ଦର୍ଶାଇ ମଣ୍ଡି ଖୋଲିବା ତାରିଖ ମେ ୧୫କୁ ଘୁଚାଂଇ ଦିଆଗଲା । ହେଲେ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ । ଯାହାର ଫାଇଦା ଉଠାଇ ଦଲାଲ ମାଲାମଲ୍ ହେଉଥିବା ବେଳେ ଚାଷୀ କ୍ଷତି ସହୁଛନ୍ତି ।

ଅମଳ ଧାନକୁ ଚାଷୀ ଖଳାରୁ ଦଲାଲକୁ ଅଣ୍ଡର ରେଟରେ ବିକ୍ରୀ ପାଇଁ ବାଧ୍ୟ ହେଉଛନ୍ତି । କାରଣ କାଳବୈଶାଖୀ ବର୍ଷାରେ ଧାନ ଭିଜିବା ଆଶଙ୍କା ରହିଛି । ଏହାସହ ମଣ୍ଡି ଖୋଲିବାର ଅନିଶ୍ଚିତତାରେ ଶୋଷିତ ହେଉଛି ଚାଷୀ । ଖରିଫ ଋତୁରେ ବର୍ଦ୍ଧିତ ମୁଲ୍ୟରେ ଧାନ କିଣା, ବକେୟା ଟଙ୍କା ନ ମିଳିବା ପର୍ଯ୍ୟନ୍ତ ରବି ଋତୁରେ ଧାନ କିଣା ପ୍ରକ୍ରିୟାରେ ମିଲର ସାମିଲ ହେବେ ନାହିଁ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି । ଏପରିସ୍ଥିତିରେ ଜିଲ୍ଲାରେ ଧାନ ମଣ୍ଡି କେବେ ଖୋଲିବ ତାକୁ ନେଇ ଆନିଶ୍ଚିତତା ଦେଖା ଦେଇଛି ।

ଯୋଗାଣ ବିଭାଗ ପ୍ରଥମେ ଧାନ ଅମଳ ହୋଇ ନ ଥିବା ଦର୍ଶାଇ ତାରିଖ ଘୁଚାଂଇଲେ ବର୍ତ୍ତମାନ ମିଲର ଓ ଯୋଗାଣ ବିଭାଗ ବିବାଦ ପଦାକୁ ଆସିଛି । ହେଲେ ଏହି ବିବାଦ ମଧ୍ୟରେ ପେଶି ହେଉଥିବା ଚାଷୀ, ସରକାରୀ ଧାର୍ଯ୍ୟ ମୂଲ୍ୟ କ୍ୱିଂଟାଲ ପିଛା ୧୭୫୦ ଟଙ୍କାର ଧାନକୁ ୧ ହଜାରରୁ ୧୨ ଶହରେ ଦଲାଲକୁ ବିକ୍ରୀ କରୁଛି ।