ଖୋଲୁନି ମଣ୍ଡି । ଧାନ କିଭଳି ବିକିବେ ଚାଷୀ ?

38

କନକ ବ୍ୟୁରୋ : ଚଳିତ ବର୍ଷ ଚକଡା ଚଡକ ପରେ ଦାଉ ସାଧିଥିଲା ଅଦିନିଆ ବର୍ଷା । ଏବେ ଚାଷୀ ବଂଚାଇ ରଖିଥିବା କିଛି ଧାନ ବିକିବା ପାଇଁ ମଣ୍ଡିର ଦେଖା ନାହିଁ । ଯାହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ । ଗୋଟିଏ ପଟେ କମ୍ ଦାମରେ ଧାନ କ୍ରୟ କରି ବେପାରୀ ମାଲାମାଲ ହେଉଥିବାବେଳେ କିଛି ଅଂଚଳରେ ମଣ୍ଡି ଖୋଲିଥିଲେ ହେଁ ମିଲର ଏବଂ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ କଟନୀ ଛଟନୀ ପାଇଁ ମଣ୍ଡିରୁ ଧାନ ଉଠିପାରୁନାହିଁ ।

ଖୋଲିନି ମଣ୍ଡି ଚିନ୍ତାରେ ଚାଷୀ । ବୌଦ୍ଧ ଜିଲ୍ଲାରେ ପ୍ରଥମେ ଚକଡା ଚଡକ ଓ ପରେ ଅଦିନିଆ ବର୍ଷା । ଏବେ ଧାନ ମଣ୍ଡି ଖୋଲିନଥିବାରୁ ଅମଳ ହୋଇଥିବା ଧାନକୁ ବିକ୍ରି କରିପାରୁନି ଚାଷୀ । ଏପଟେ ଅଦିନିଆ ବର୍ଷା ଓ ଚକଡା ପୋକ ଯୋଗୁୁଁ ଚଳିତ ବର୍ଷ ଧାନ ଚାଷରୁ ଧାନ ବଦଳରେ ଅଧିକ ଅଗାଡି ବାହାରିଛି । ଫଳରେ ଚାଷୀର ଚିନ୍ତା ବଢିଯାଇଛି । ସେପଟେ ସରକାର ନିର୍ଦ୍ଧାରିତ ଦର କ୍ୱିଂଟାଲ ପିଛା ୧୭୫୦ଟଙ୍କା । କିନ୍ତୁ ମଣ୍ଡି ଖୋଲିନଥିବାରୁ ବ୍ୟବସାୟୀଙ୍କୁ ହଜାରେରୁ ୧୧ଶହ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । କମ୍ ଦାମରେ ଧାନ ବିକ୍ରି କରି କିଭଳି ଋଣ କରଜ ସୁଝିବ ଓ ପରିବାର ଚଳାଇବେ ସେହି ଚିନ୍ତାରେ ଚାଷୀ ।

ଅନ୍ୟପଟେ ଜିଲ୍ଲାର କିଛି କିଛି ଅଂଚଳରେ ମଣ୍ଡି ଖୋଲିଥିଲେ ମଧ୍ୟ କଟନୀଛଟନୀ ଯୋଗୁଁ ମଣ୍ଡିରୁ ଉଠିପାରୁନି ଧାନ । ଥଣ୍ଡା କାକରରେ ମଣ୍ଡିରେ ଧାନକୁ ଜଗି ରହିିଛନ୍ତି ଚାଷୀ । ଅପରପକ୍ଷରେ ମିଲ ମାଲିକ ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରେଡ ୱାନ ମାନର ଧାନ ହୋଇଥିଲେ ସୁଦ୍ଧା କ୍ୱିଂଟାଲ ପିଛା ୫ ରୁ ୬ କେଜି କଟନି କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ହରଭଙ୍ଗା ବ୍ଲକ ମଥୁରା ସେବା ସମବାୟ ସମତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ । ତେବେ ଧାନର ମାନ ଯାଂଚ ପରେ ଉଚିତ ମୂଲ୍ୟ ବିନିମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ଜିଲ୍ଲାର ଅନେକ ସ୍ଥାନରେ ଏ ପର୍ଯନ୍ତ ମଣ୍ଡି ଖୋଲି ନଥିବାରୁ ବ୍ୟବସାୟୀଙ୍କୁ କମ୍ ଦାମରେ ଧାନ ବିକ୍ରି କରି କ୍ଷତି ସହୁଛନ୍ତି ଚାଷୀ । ତେବେ ଏଥିପାଇଁ ତୁରନ୍ତ ମଣ୍ଡି ଖୋଲାଯିବା ଓ ଉଚିତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଦାବି ହେଉଛି ।

Comments are closed.