ଯାଜପୁରରେ କେବେ ଖୋଲିବ ମଣ୍ଡି ? ଅମଳ ଧାନକୁ ଦଲାଲ ହାତରେ ଟେକି ଚିନ୍ତାରେ ଚାଷୀ ।

71

କନକ ବ୍ୟୁରୋ : ସମଗ୍ର ରାଜ୍ୟରେ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଯାଜପୁର ଜିଲାରେ ଏ ଯାଏଁ ମଣ୍ଡି ଖୋଲା ହୋଇନି । କାଁ ଭାଁ ସମବାୟ ସମିତିକୁ ଛାଡି ଦେଲେ ଅଧିକାଂଶ ସ୍ଥାନରେ ଚାଷି ନିଜର ଧାନକୁ କମ୍ ମୂଲ୍ୟରେ ବେପାରିଙ୍କ ହାତରେ ଟେକି ଦେଉଥିବା ଅଭିଯୋଗ ହୋଇଛି । ସରକାରୀ ମଣ୍ଡି ଖୋଲି ନଥିବାରୁ ଏହାର ଫାଇଦା ଉଠାଉଛନ୍ତି ବେପାରୀ ଆଉ କ୍ଷତି ସହୁଛନ୍ତି ଚାଷୀ ।

କେବେ ଖୋଲିବ ଯାଜପୁର ମଣ୍ଡି ? କେଉଁଠି ଧାନ ବିକିବେ ଚାଷୀ ? ଯାଜପୁର ଜିଲ୍ଲାରେ ଧାନ ଅମଳ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ଜମିରୁ ଧାନ କାଟି ଆଣି ମେସିନ ସାହାଯ୍ୟରେ ଧାନ ଅମଳ କରୁଛନ୍ତି ଚାଷୀ । ହେଲେ ବିକ୍ରି ପାଇଁ ଏଯାଏଁ ସରକାରୀ ମଣ୍ଡି ଖୋଲି ନାହିଁ । ତେଣୁ ଚାଷୀ ଧାନକୁ କମ୍ ଦରରେ ବେପାରୀଙ୍କୁ ବିକ୍ରି କରୁଛନ୍ତି । ବେପାରୀ ବିଲରୁ ହିଁ ଧାନ କିଣି ମାଲାମାଲ ହେଉଥିବା ବେଳେ ଧାନ ବିକ୍ରି କରି ଧାର କରଜ ସୁଝିବା ପାଇଁ ଆଶା ରଖିଥିବା ଚାଷି ଚିନ୍ତାରେ ପଡିଛନ୍ତି ।

ଚିନ୍ତା ପ୍ରକଟ କଲା ଜିଲ୍ଲା ପ୍ରଶାସନ । ‘କାହିଁକି ମଣ୍ଡି ଖୋଲିନି କାରଣ କୁହ’ । ସରକାର ସମବାୟ ସମିତି ଜରିଆରେ ଧାନ କିଣିବା ପାଇଁ ନିୟମ କରିଛନ୍ତି । କିନ୍ତୁ ଯାଜପୁର ଜିଲ୍ଲାରେ ହାତ ଗଣତି କେତୋଟି ମଣ୍ଡି ଖୋଲିଥିବା ବେଳେ ବାକି ସମବାୟ ସମିତି ମଣ୍ଡି ଖୋଲି ନାହିଁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଖୋଦ୍ ଜିଲ୍ଲାପାଳ । ମଣ୍ଡି ଖୋଲିନଥିବା ୬୦ଟି ସମବାୟ ସମିତିର ସଂପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ଚାଷୀଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ କୃଷକ ସଂଗଠନ ଆନ୍ଦୋଳନ କରୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଚାଷୀ ନିଜର ହକ୍ ପାଇବାରୁ ବଂଚିତ ହେଉଛନ୍ତି ।