ଅମଳ ପରେ ପାରିଶ୍ରମିକକୁ ଅପେକ୍ଷା : ଖଳାରେ ଧାନବସ୍ତା, ମଣ୍ଡି ନଖୋଲିବାରୁ ଚିନ୍ତାରେ ଚାଷୀ

198

କନକ ବ୍ୟୁରୋ : ଅମଳ ସରିଲା ଏବେ ବିକ୍ରିର ବେଳ । ଆଉ ଏତିକି ବେଳେ ଯଦି ସରକାରୀ ମଣ୍ଡି ନଖୋଲେ ତେବେ ଧାନ ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । ବର୍ଷକର ପରିଶ୍ରମକୁ ଅମଳ କରି ପାରିଶ୍ରମିକ ପାଇଁ ଅପେକ୍ଷା କରିଛନ୍ତି ଘସିପୁରା ଅଂଚଳ ଚାଷୀ ।

ପରିଶ୍ରମକୁ ଅମଳ କରି ପାରିଶ୍ରମିକ ପାଇଁ ଅପେକ୍ଷା.. । ଖଳାରେ ଧାନବସ୍ତା ରଖି ବିକ୍ରି ପାଇଁ ଅପେକ୍ଷା.. । ମଣ୍ଡି ଖୋଲିବ ଧାନ ବିକ୍ରି ହେବ, ଆଶା ଆଶଙ୍କାର ଘସିପୁରା ଅଂଚଳ ଚାଷୀ । ଜମିରେ ରକ୍ତକୁ ପାଣି କରି ଚାଷୀ ଫଳାଇ ଥିବା ସୁନାର ଫସଲ ପ୍ରାୟତଃ ଅମଳ ହୋଇସାରିଛି । କିଛି କିଛି ଚାଷୀଙ୍କ ଅମଳ ପ୍ରକ୍ରିୟା ଜାରି ରହିଛି । ହେଲେ ଏଯାଏ ମଣ୍ଡି ଖୋଲି ନଥିବାରୁ ଚାଷୀ ଅଭାବି ବିକ୍ରିର ଶିକାର ହୋଇଛନ୍ତି । ଝାଳବୁହା ଧନକୁ ଦଲାଲ ହାତରେ ଖୁବ୍ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ୮୬ଟି ମଣ୍ଡିରେ ଧାନ କିଣା ଯିବ । ଧାନ ବିକ୍ରି କରିବା ପାଇଁ ୪୦,୯୮୬ ଚାଷୀ ପଂଜିକୃତ ହୋଇଛନ୍ତି । ସେମାନଙ୍କ ଠାରୁ ୮ ଲକ୍ଷ ୩୩ ହଜାର କ୍ୱିଂଟାଲ ଧାନ କିଣିବେ ସରକାର । ହେଲେ ଏ ପର୍ଯ୍ୟନ୍ତ ଅଧିକାଂଶ ମଣ୍ଡିର ଭିତିଭୂମୀ ଠିକ୍ ନଥିବା ବେଳେ ୧୬ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଂଟ ଯାଂଚ ହୋଇନାହିଁ । ସେପଟେ ବିଭାଗୀୟ ମନ୍ତ୍ରୀଙ୍କ ତାଗିଦ୍ ପରେ କେତେକ ସ୍ଥାନରେ ତରବରିଆ ଭାବେ ମଣ୍ଡି ଖୋଲିଛି ହେଲେ ଚାଷୀଙ୍କ ଟୋକନ ମିଳିନଥିବାରୁ ଚାଷୀ ଧାନ ବିକ୍ରି କରି ନପାରି ଜମିରେ ଧାନବସ୍ତାକୁ ରଖି ଜଗି ବସିଛନ୍ତି । ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଥିବା କଥା କହୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ପ୍ରଥମରୁ ଝୁଂଟିଲାଣି ଜିଲ୍ଲା ପ୍ରଶାସନ ।