ମଣ୍ଡି ଖୋଲିଛି ଧାନ ଉଠୁନି : ଟୋକନ୍ ଅପେକ୍ଷାରେ ଚାଷୀ, ଖଳାରେ ଧାନ

395

କନକ ବ୍ୟୁରୋ : ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ଭଲ ବର୍ଷା ଯୋଗୁଁ ଚାଷୀ ଭଲ ଧାନ ଫସଲ ଅମଳ କରିଛନ୍ତି । ହେଲେ ସରକାରୀ ଅବ୍ୟବସ୍ଥା କାରଣରୁ ସେହି କଷ୍ଟ ଉପାର୍ଜିତ ଧାନକୁ ବିକିବା ପାଇଁ ଚାଷୀଙ୍କୁ ଏବେ ବହୁ ହନ୍ତସନ୍ତ ହେବାକୁ ପଡୁଛି । ଧାନମଣ୍ଡି ଗୁଡିକ ଖୋଲିଛି ହେଲେ ପ୍ରଶାସନ ତରଫରୁ ଚଳିତ ବର୍ଷ ନୁଆ ଟୋକନ ବ୍ୟବସ୍ଥା କରାଯାଇଥିବାରୁ ଚାଷୀ ନିଜ ଧାନକୁ କେବେ ବିକିବ, ସେନେଇ ଏବେ ଚିନ୍ତାରେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ୧୫ ତାରିଖରୁ ବରଗଡ ଜିଲ୍ଲାରେ ସରକାରୀ ମଣ୍ଡି ଖୋଲିଛି । ମଣ୍ଡିରେ ଚାଷୀଙ୍କ ଧାନ ବି ପହଂଚି ସାରିଛି । ଧାନବସ୍ତାକୁ ଗାଡିରେ ଲଦି ମଣ୍ଡିକୁ ଆଣିଛନ୍ତି ବରଗଡ ହେଲେ ବିକ୍ରିକୁ ନେଇ ବରଗଡ ଚାଷୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଥର ସରକାରଙ୍କ ପକ୍ଷରୁ କରାଯାଇଥିବା ଅନଲାଇନ୍ ଟୋକନ ବ୍ୟବସ୍ଥା ଯୋଗୁଁ ଚାଷୀ ହିନସ୍ତା ହେଉଛନ୍ତି । ଚାଷୀଙ୍କୁ ଟୋକନ୍ ମିଳିନଥିବାରୁ ମାର୍କେଟ୍ ୟାର୍ଡ ବନ୍ଦ ରହିଥିଲା ।

ସେପଟେ ବରଗଡ ଉପଖଣ୍ଡ ପଦ୍ମପୁରରେ ମଧ୍ୟ ସମାନ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଠାରେ ମଧ୍ୟ ସମାନ ସମସ୍ୟା ଉପୁଜିଛି ।  ଲଗାତାର ଭାବରେ କମ୍ ବର୍ଷା ଯୋଗୁଁ ପଦ୍ମପୁର ଭଲ ଧାନ ଚାଷ ହୋଇନଥିଲା । ତେବେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଛି । ମାଲ ଓ ବେର୍ଣ୍ଣା ଜମିରେ କରାଯାଇଥିବା ଛୋଟ ଧାନକୁ ଲୋକେ ଦିପାବଳୀ ପରଠୁ ଅମଳ କରି ଖଳାରେ ରଖିଛନ୍ତି । ହେଲେ ସେହି ଅନଲାଇନ୍ ଟୋକନ ବ୍ୟବସ୍ଥା ଯୋଗୁଁ ଚାଷୀ ତାଙ୍କ ପରିଶ୍ରମର ମୂଲ ପାଇ ପାରୁନାହାନ୍ତି । ମୋବାଇଲରେ ଟୋକନ୍ ମେସେଜକୁ ଅପେକ୍ଷା କରିଥିବା ଚାଷୀ କେବେ ଧାନ ବିକ୍ରି ହେବ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ପଦ୍ମପୁର ଉପଖଣ୍ଡରେ ୧୧ଟି ମାର୍କେଟ ୟାର୍ଡ ଏବଂ ୪୨ଟି ସୋସାଇଟି ମଣ୍ଡିର ବ୍ୟବସ୍ଥା କରାଯାଇଛି । ସମ୍ବଲପୁରରେ ମଧ୍ୟ ଏହି ଅନଲାଇନ୍ ଟୋକନ ବ୍ୟବସ୍ଥାକୁ ନେଇ ଜିଲ୍ଲାରେ ୧୫ଟି ମଣ୍ଡି ଖୋଲିଥିଲେ ସୁଦ୍ଧା ଧାନ ବିକ୍ରି ହୋଇପାରିନାହି ।