ବ୍ରିଟେନର ମଂଚେଷ୍ଟରରେ ବଡ ବିସ୍ଫୋରଣ ! ୨୦ମୃତ, ୫୦ରୁ ଅଧିକ ଆହତ

21

କନକ ବ୍ୟୁରୋ : ବ୍ରିଟେନର ମଂଚେଷ୍ଟର ସହରର ଏକ ସଙ୍ଗୀତ କନସର୍ଟରେ ଜୋରଦାର ଧମାକା ହୋଇଛି । ବିସ୍ଫୋରଣରେ ୨୦ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ବ୍ରିଟେନ ପୋଲିସ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରୁଛି ।

ମଂଚେଷ୍ଟର ସହରକୁ ଘେରାବନ୍ଦୀ କରାଯାଇ ଛାନଭିନ ଆରମ୍ଭ ହୋଇଛି । ମଂଚେଷ୍ଟର ଏରେନାରେ ପ୍ରସିଦ୍ଧ ପାପ ଗାୟିକା ଏରିଆନା ଗ୍ରେଣ୍ଡେଙ୍କ କନସର୍ଟ ଚାଲିଥିବା ବେଳେ ହୋଇଛି ଏହି ବଡ ବିସ୍ଫୋରଣ । ତେବେ ଏରିଆନା ସୁରକ୍ଷିତ ଅଛନ୍ତି । କନସର୍ଟରେ ଏରିଆନାଙ୍କ ଶେଷ ଗୀତ ପରେ ହଠାତ ବ୍ଲାଷ୍ଟ ହୋଇଥିଲା । ବିସ୍ଫୋରଣ ପରେ ମଂଚେଷ୍ଟର ଭିକ୍ଟୋରିଆ ଷ୍ଟେସନରୁ ଯାତାୟତକୁ ବନ୍ଦ କରିଦିଆଯାଇଛି ।

କିଛି ପ୍ରତ୍ୟକ୍ଷଦର୍ଶୀ ଦୁଇଟି ବଡ ବିସ୍ଫୋରଣ ହୋଇଥିବା କହିଛନ୍ତି । କୁହାଯାଉଛି ବିସ୍ଫୋରଣ ମଂଚେଷ୍ଟର ଏରେନାର ଟିକେଟ କାଉଂଟର ପାଖରେ ହୋଇଛି । ବ୍ରିଟେନ ମିଡିଆ ପକ୍ଷରୁ କୁହାଯାଇଛି ଯେ, ବିସ୍ଫୋରଣ ପଛରେ ଆତ୍ମଘାତୀ ଆକ୍ରମଣକାରୀର ହାତ ଥାଇପାରେ ।

ମଂଚେଷ୍ଟରର କେଥେଡ୍ରଲ ଗାର୍ଡେନରେ ବି ଏକ ବୋମାକୁ ନିଷ୍କ୍ରିୟ କରିଥିବା ମଂଚେଷ୍ଟର ପୋଲିସ ଦାବି କରିଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଲୋକେ ଭୟରେ ଦୌଡିବାକୁ ଲାଗିଥିଲେ । କିଛି ଲୋକ ଚିକ୍ରାର କରୁଥିବା ବି ଦେଖିବାକୁ ମିଳିଥିଲା ।