ବାଣ ବେପାରୀ ଏବେ ସଫଳ ଚାଷୀ । ବାଣବାରୁଦର ଗନ୍ଧ ପରିବର୍ତ୍ତେ ଫୁଲଫଳ ମହକରେ ଝଟକୁଛି ଗୋଲକଙ୍କ ବାଡିବଗିଚା ।

ଭଜନସଂକୀର୍ତ୍ତନର ଆଧ୍ୟାତ୍ମିକ ପରିବେଶରେ ବିତୁଛି ବାକି ଜୀବନ

939

କନକ ବ୍ୟୁରୋ: ବେଳେବେଳେ କିଛି ଘଟଣା ମଣିଷ ଜୀବନର ଗତିପଥକୁ ସଂପୂର୍ଣ୍ଣ ବଦଳାଇ ଦେଇଥାଏ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାବଳପୁର ଗାଁର ଗୋଲକ ବିହାରୀ ପ୍ରଧାନ । ଯିଏକି ଦିନେ ବାଣବାରୁଦ ବେପାରରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ବାଣ ବେପାରର ମାମ୍ରାଜ୍ୟ ବଢାଇ ଆଖାପାଖ ଅଂଚଳରେ ପ୍ରଖ।।ତ ବାଣ ବେପାରୀ ଭାବେ ସୃଷ୍ଟି କରିଥିଲେ ନିଜର ପରିଚୟ । ହେଲେ ଘଟଣାଚକ୍ରରେ ତାଙ୍କ ଜୀବନରେ ଆସିଥିବା ଏକ ବଡ ବିପତ୍ତି ସବୁ କିଛି ପରିବର୍ତ୍ତନ କରି ଦେଇଥିଲା । ବାଣ ବେପାରରୁ ଆଜି ସେ ଜଣେ ସଫଳ ଚାଷୀ ଏବଂ ହରିନାମ ସଂକୀର୍ତ୍ତକ ।

 

ଆଜିକୁ ୨ ବର୍ଷ ତଳେ ଅର୍ଥାତ୍ ୨୦୧୭ ଅକ୍ଟୋବର ୧୮ ତାରିଖରେ ବାଲେଶ୍ୱରର ବାହାବଳପୁର ଗାଁରେ ଘଟିଥିବା ଛାତିଥରା ବିସ୍ଫୋରଣ ରାଜ୍ୟବାସୀଙ୍କୁ କରିଦେଇଥିଲା ସ୍ତବ୍ଧ । ଆଲୋକର ପର୍ବ ଦୀପାବଳୀକୁ ମାତ୍ର ୨ଦିନ ବାକି ଥିବାବେଳେ ଗୋଲକଙ୍କଠାରୁ ବାଣ କିଣିବା ପାଇଁ ଲୋକଙ୍କର ଭିଡ ଜମିଥିଲା । ଠିକ୍ ଏହି ସମୟରେ ହଠାତ୍ ନିଆଁ ଓ ବିସ୍ଫୋରଣରେ ଦୋହଲି ଯାଇଥିଲା ସମଗ୍ର ଅଂଚଳ । ଆଉ ନିଆଁ ଥମିବା ପରେ ଗୋଲକଙ୍କର ପରିବାର ଛାରଖାର ହୋଇଯାଇଥିଲା । ବାଣ ବିସ୍ଫୋରଣରେ ଗୋଲକଙ୍କ ୩ ପୁଅ ସମେତ ୨ ନାତୁଣୀ, ୩ ଶ୍ରମିକ ଓ ବାଣ କିଣିବାକୁ ଆସିଥିବା ୩ ଜଣ ବାହାର ଲୋକ ଜିଅନ୍ତା ଜଳି ଯାଇଥିଲେ । ନିଆଁର ଆଁରେ ଲିଭିଯାଇଥିଲା ୧୧ ଜଣଙ୍କ ଜୀବନଦୀପ । ଏବଂ ଭାଗ୍ୟ ଜୋର ଥିଲା ବୋଲି ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୋଲକ, ତାଙ୍କ ପତ୍ନୀ ଓ ଦୁଇ ବୋହୁ । ତେବେ ଦୀପାବଳିର ଏହି ଲୋମଟାଙ୍କୁରା ଘଟଣା ଖାଲି ବାଲେଶ୍ୱର ଜିଲ୍ଲା ନୁହେଁ ସମଗ୍ର ରାଜ୍ୟବାସୀଙ୍କ ସ୍ତବ୍ଧ କରିଦେଇଥିଲା ।

ଏହି ଘଟଣା ପରଠୁ ବାହାବଳପୁର ଗାଁରେ ବାଣ କାରବାର ବନ୍ଦ ହୋଇଯାଇଛି । ଏବେ ସେମାନେ ମାଛ ଚାଷ କାମ କରି ଜୀବିକା ନିର୍ବାହ କରୁଥିବା ବେଳେ ଗୋଲକ ମଧ୍ୟ ବାଣ କାରବାରରୁ ନିଜକୁ ଦୂରେଇ ରଖି ଚାଷ କାମରେ ମନ ବଳାଇଛନ୍ତି । ସବୁଜ ବନାନୀ କ୍ଷେତ ଓ ଫୁଲଫଳ ଚାଷ ମହକରେ ଝଟକୁଛି ତାଙ୍କ ଘର ଚାରିପାଖ । ତେବେ ଗୋଟିଏ ଜୀବିକା ସିନା ତାଙ୍କ ସଂସାର ଉଜାଡି ଦେଲା, ହେଲେ ଆଉ ଏକ ଜୀବିକା ଗୋଲକଙ୍କ ମୁହଁରେ ହସ ଫେରାଇଆଣିଛି । ଖାଲି ଚାଷ କାମ ନୁହେଁ ଗୋଲକ ବର୍ତ୍ତମାନ ଜଣେ ଭଲ ମୃଦଙ୍ଗ ବାଦକ ଓ ସଂକୀର୍ତ୍ତକ ଭାବେ ମଧ୍ୟ ପରିଚୟ ଲାଭ କରିଛନ୍ତି । ବଂଚିବାକୁ ହେଲେ ଦୁନିଆରେ ଅନେକ ବାଟ ଏବଂ ଅନେକ କାମ ରହିଛି । ମାତ୍ର ବାଣ ଓ ବିସ୍ଫୋରକ ଭଳି କାରବାରରୁ ଯଥା ସମ୍ଭବ ସମସ୍ତେ ଦୂରେଇ ରହିବାକୁ ନିବେଦନ କରିଛନ୍ତି ଗୋଲକ ।