ବଞ୍ଚିବା ପାଇଁ ସବୁକିଛି କରିବି କିନ୍ତୁ କେବେ କାଶ୍ମୀର ଯିବିନି । ୫ ବନ୍ଧୁଙ୍କୁ ହରାଇବା ପରେ କୋହଭରା କଣ୍ଠରେ ଏମିତି କହିଲେ ଯୁବକ

530

କଶ୍ମୀରରେ ରହୁଥିବା ଲୋକଙ୍କ ଅବସ୍ଥା କେମିତି, ତାହା ଏବେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇ ସାରିଛି । ସବୁବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଭୟରେ ବଞ୍ଚୁଥିବା କଶ୍ମୀରବାସୀଙ୍କ ଜୀବନ କିଭଳି କଟୁଥିବ, ତାହା ଏହି ଘଟଣାରୁ ଦେଶବାସୀ ଅନୁଭବ କରି ପାରିବେ । କାମ କରିବା ପାଇଁ କଶ୍ମୀର ଯାଇଥିବା ଜଣେ ଯୁବକ ଏବେ ମରିଗଲେ ମଧ୍ୟ କଶ୍ମୀର ଯିବେ ନାହିଁ ବୋଲି କହିଛନ୍ତି । ତାଙ୍କ ସହ ଘଟିଥିବା ଘଟଣା ତାଙ୍କୁ ଜୀବନସାରା କଶ୍ମୀରଠାରୁ ଦୂରେଇ ରଖିବ ବୋଲି ସେ କୋହଭରା କଣ୍ଠରେ ଜଣାଇଛନ୍ତି । ନିଜ ଆଖି ଆଗରେ ନିଜର ଅତିପ୍ରିୟ ୫ଜଣ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର ଦୃଶ୍ୟ ସେ ସାରା ଜୀବନ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ।

ସୂଚନା ମୁତାବକ, ବଶିରୁଲ ସରକାର ନିଜ ୫ଜଣ ବନ୍ଧୁଙ୍କ ସହ କୁଲଗାମ୍‌ ଜିଲ୍ଲାରେ ଥିବା ସେଓ ବଗିଚାରେ କାମ କରିବା ପାଇଁ ଯାଇଥିଲେ । ଘଟଣାଦିନ କାମ ସାରି ସେ ସମସ୍ତଙ୍କ ପାଇଁ ଖାଦ୍ୟ ଆଣିବାକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଗୁଳି ଶବ୍ଦ ଶୁଣି ଦୋକାନୀ ସେଠାରୁ ପଳାଇଯିବା ପାଇଁ କହିବାରୁ ବଶିରୁଲ ପାଖ ଘରକୁ ଚାଲି ଯାଇଥିଲେ । ଏହି ସମୟରେ ତାଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ପରେ ଆତଙ୍କବାଦୀମାନେ ତାଙ୍କ ବନ୍ଧୁ ରହୁଥିବା ଘରକୁ ଯାଇ ୫ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଘଟଣା ପରେ ବଶିରୁଲଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀନଗର ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ବେଳେ ଘଟଣାକୁ ନେଇ ତାଙ୍କ ପ୍ରତିକ୍ରିୟା ମଗାଯାଇଥିଲା । କିନ୍ତୁ କିଛି କହିବା ପୂର୍ବରୁ ସେ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ ।

ଏହା ପରେ ଥର ଥର କଣ୍ଠରେ କହିଥିଲେ, ମୁଁ ଆଉ କେବେ ବି କଶ୍ମୀର ଯିବି ନାହିଁଟ୍ଟସେଠାରେ ମୁଁ ମୋର ୫ଜଣ ବନ୍ଧୁଙ୍କୁ ହରାଇଛି । ବଞ୍ଚିବା ପାଇଁ ମୁଁ ଅନ୍ୟ କିଛି କାମ କରିଦେବି, କିନ୍ତୁ କାମ ପାଇଁ ମୁଁ କଶ୍ମୀର ଯିବି ନାହିଁ । ଏଠାରେ ମୁଁ ଆଉ ଅଧିକ ସମୟ ରହିବାକୁ ଚାହୁଁ ନାହିଁ । ଯେଉଁ ବନ୍ଧୁଙ୍କୁ ସାଙ୍ଗରେ ଧରି ମୁଁ ମୁର୍ଶିଦାବାଦରୁ କଶ୍ମୀର ଆସିଥିଲି, ଆଜି ସେମାନେ ମୁର୍ଶିଦାବାଦ୍‌ ଯିବା ପାଇଁ ମୋ ସାଙ୍ଗରେ ନାହାନ୍ତି ବୋଲି କହି କାନ୍ଦି ଉଠିଥିଲେ ବଶିରୁଲ ।