ପେଟରେ ପଶିଗଲା ୩ଟି ଲୁହା ରଡ । ତଥାପି ହାର ମାନିଲେନି, ୪୦ କିଲୋମିଟର ଯାତ୍ରା କରି ପହଞ୍ଚିଲେ ହସ୍ପିଟାଲରେ

61

କଥାରେ ଅଛି ରଖେ ହରି ମାରେ କିଏ?ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ। ଜଣେ ମିସ୍ତ୍ରୀ ପେଟରେ ୩ଟି ଲୁହା ରଡ୍ ଫୁଟିଯାଇଥିବା ଅବସ୍ଥାରେ ଦୀର୍ଘ ୪୦ କିଲୋମିଟର ରାସ୍ତା ଆମ୍ବଲାନ୍ସରେ ଆସି କୋଲକାତାର ଚିତ୍ତରଂଜନ ନ୍ୟାସନାଲ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍ (ସିଏନଏମସି)ରେ ପହଞ୍ଚିଥିଲେ। ସେଠାରେ ଡାକ୍ତରମାନଙ୍କର ଏକ ଦଳ ସାଢ଼େ ୩ ଘଣ୍ଟାର ଅପରେସନ୍ କରି ମିସ୍ତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।

ଉଦୟ ସରଦାର ବୃତ୍ତିରେ ଜଣେ ମିସ୍ତ୍ରୀ। ସେ ଦକ୍ଷିଣ ୨୪ ପ୍ରଗଣାର ଘୁଟିଆରି ସରିଫ୍ ଅଞ୍ଚଳରେ ଏକ କୋଠାଘରେ କାମ କରୁଥିବା ସମୟରେ ତଳକୁ ଗଳି ପଡ଼ିଲେ। ଦୁର୍ଭାଗ୍ୟକୁ ମାଟିରେ ପୋତା ହୋଇଥିବା ୩ଟି ଲୁହାରଡ୍ ତାଙ୍କ ପେଟ ଭିତରେ ପଶିଯାଇଥିଲା। ପ୍ରବଳ ରକ୍ତସ୍ରାବ ହେଉଥିଲେ ମଧ୍ୟ ଉଦୟଙ୍କ ଚେତା ବୁଡ଼ି ନ ଥିଲା। ତାଙ୍କୁ କାମ କରୁଥିବା ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇଗଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଏକ ଆମ୍ବୁଲାନ୍ସରେ କୋଲକାତା ପଠାଇ ଦିଆାଗଲା। ଯନ୍ତ୍ରଣା ହେଉଥିଲେ ବି ଧୈର୍ୟ୍ୟ ଧରି ଉଦୟ ସରଦାର ଅଢ଼େଇ ଘଣ୍ଟା ଯାତ୍ରା କରି ସିଏନଏମସିରେ ପହଞ୍ଚିଥିଲେ।

ଡାକ୍ତରମାନେ ତାଙ୍କ ଅବସ୍ଥା ଦେଖି ବିଚଳିତ ହୋଇପଡ଼ିଲେ। ଏକ୍ସରେ କରାଯାଇ ଦେଖାଗଲା ଯେ, ରଡ୍ ତିନିଟି ପେଟ ଏପଟେ ପଶି ସେପଟେ ବାହାରି ଥିଲେ ମଧ୍ୟ କିଡନି,ଲିଭରରେ କ୍ଷତି ହୋଇ ନ ଥିଲା। ଏହାପରେ ଡାକ୍ତରମାନଙ୍କର ଏକ ଦଳ ଅତ୍ୟନ୍ତ ସାବଧାନତାର ସହ ଅପରାହ୍ଣ ୪.୩୦ରେ ଅପରେସନ୍ କରି ସରଦାରଙ୍କ ପେଟରୁ ରଡ୍ ତିନିଟି ବାହାର କରିଥିଲେ।

ସିଏନଏମସିର ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ସନ୍ଦିପ ଘୋଷ କହିଛନ୍ତି, ‘ଆମେ କାଳ ବିଳମ୍ବ ନ କରି ଯେତେ ଶୀଘ୍ର ସମ୍ଭବ ଅପରେସନ୍ କରିଛୁ। ଯଦିଓ ତାଙ୍କ କିଡ୍ନି, ଇଣ୍ଟେଷ୍ଟାଇନ୍ ଓ ଲିଭରରେ ଆଘାତ ଲାଗିଛି କିନ୍ତୁ କ୍ଷତିଗ୍ରସ୍ତ ହୋଇପାରି ନାହିଁ। ଏବେ ସେ ପର୍ୟ୍ୟବେକ୍ଷଣରେ ଅଛନ୍ତି। ଆମେ ତାଙ୍କୁ ଖୁବ୍ ଶୀଘ୍ର ବିପଦମୁକ୍ତ ଘୋଷଣା କରିବୁ।’