ଭଦ୍ରକରେ ଚାଞ୍ଚଲ୍ୟ ! ୧୧ ମାସର ଶିଶୁପୁତ୍ରକୁ ବିକିଲା ବାପା, କିଣିଲା ମୋବାଇଲ

51

କନକ ବ୍ୟୁରୋ : ବାପା । ସଂପର୍କର ମାନେ ବୁଝିବାକୁ ଏହି ନାଁ ଟି ହିଁ ଯଥେଷ୍ଟ । ଛୁଆ ପାଇଁ ପଥର ପଡିଲେ ବି ନିଜ ଛାତି ଦେଖାନ୍ତି ବାପା । ପୁଣି ହାତ ଧରି ଚାଲିବା ବି ଶିଖାନ୍ତି ସେ । ବାପାଙ୍କୁ ହତାଦର କରାଯିବାର ନଜୀର ଅଛି ହେଲେ ବାପା କେବେ ହତାଦର କରନ୍ତିନି । ହେଲେ ଏକ ଭିନ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି । ବାପା ସାଜିଛି କଂସେଇ, ପିଶାଚ । ମୋବାଇଲ ଆଉ ପାଉଁଜି କିଣିବା ପାଇଁ ବିକିଛି ନିଜ ୧୧ ମାସର ପୁଅକୁ । ଏଭଳି ଛାତିଫଟା ଘଟଣା ଘଟିଛି ଭଦ୍ରକରେ ।

ଭଦ୍ରକ ଟାଉନଥାନା ଅଧିନ କୁଆଁସ ଜେନା ସାହି । ଏଇଠି ରୁହନ୍ତି ବଳରାମ ମୁଖୀ । ପେଷାରେ ଝାଡୁଦାର । ହେଲେ ରୋଜଗାର ସେମିତି କିଛି ନାହିଁ । କିନ୍ତୁ କୋଳରେ ତିନିଟି ଛୁଆ । ଗୋଟିଏ ୧୦ ବର୍ଷର ପୁଅ, ପାଞ୍ଚ-ଛଅ ବର୍ଷର ଝିଅ ଥିବା ବେଳେ ସେମାନଙ୍କୁ ଦାନା ଦେବା ବି ସମ୍ଭବ ନୁହେଁ । ହେଲେ ବଳରାମଙ୍କ ପତ୍ନୀ ପୁଣି ପୁଅ ଟିଏ ଜନ୍ମ ଦେଇଥିଲେ । ଯାହା କୁଆଡେ ଚାହୁଁନଥିଲେ ବଳରାମ । ସେଥିପାଇଁ ସେ ପତ୍ନୀ ସୁକୁଟିଙ୍କ ଉପରେ ସବୁବେଳେ ବିରକ୍ତ ବି ହେଉଥିଲେ । ସେଥିପାଇଁ ସେ ସାନପୁଅକୁ ବିକ୍ରି କରିଥିବା ଜଣାପଡିିଛି ।

ଘଟଣାକ୍ରମରେ ସୋମନାଥ ସେଠୀଙ୍କ ୨୪ ବର୍ଷର ପୁଅ ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଘଟଣାପର ଠାରୁ ସୋମନାଥଙ୍କ ସ୍ତ୍ରୀ ଅବସାଦରେ ରହୁଥିଲେ । ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବାକୁ ତାଙ୍କୁ ଏକ ସନ୍ତାନର ଆବଶ୍ୟକତା ରହିଥିଲା । ପୋଷ୍ୟ ସନ୍ତାନଟିଏ ଖୋଜୁଖୋଜୁ ସୋମନାଥ ହଠାତ ଜନୈକା ଅଙ୍ଗନୱାଡି କର୍ମୀଙ୍କ ସହ ସଂଷ୍ପର୍ଶରେ । ପରେ ବଳରାମଙ୍କ ସଂପର୍କିୟ ଶାଳକ ବଳିଆ ଓ ସଂପୃକ୍ତା ଅଙ୍ଗନୱାଡି କର୍ମୀ ମିଶି ବଳରାମଙ୍କ ପୁଅକୁ ବିକ୍ରି କରିବା ବ୍ୟବସ୍ଥା କରିଥିଲେ ।

ପୁଲିସ ସୂଚନା ମୂତାବକ, ବଳିଆ, ଅଙ୍ଗନୱାଡି କର୍ମୀ ମିଶି ବଳରାମଙ୍କ ୧୧ ମାସର ପୁଅକୁ ସୋମନାଥଙ୍କୁ ବିକ୍ରି କରିଥିଲେ । ଏଥିପାଇଁ ବଳରାମଙ୍କୁ ୨୩ହଜାର ଟଙ୍କା ମିଳିଥିଲା । ଯେଉଁ ଟଙ୍କାରୁ ଝିଅ ପାଇଁ ରୂପା ପାଉଁଜି ଓ ଘରକୁ ମୋବାଇଲ କିଣି ଆଣିଥିଲେ ପିଶାଚ ବାପା ବଳରାମ । ବାକି ଟଙ୍କାରେ ମଦ ବି ଆଣି ପିଇଥିଲେ । ମୋଟାମୋଟି ଭାବେ ପୁଅକୁ ବିକ୍ରି ଏକରକମ ନିଜ ସଉକ ମେଣ୍ଟାଇଥିଲେ ବଳରାମ ।

ହେଲେ ବଦମାସ ବାପାର ଏ ବାଚାଳାମି ବେଶୀ ସମୟ ଗଲାନି । ଘଟଣା ଜଣାପଡିବା ପରେ ପୁଲିସ ଓ ଚାଇଲ୍ଡ ଲାଇନ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ସରଜମୀନ ତଦନ୍ତ କରିବା ସହ ବିକ୍ରି ଶିଶୁଟିକୁ ଉଦ୍ଧାର କରିଥିଲେ । ଏହାସହ ଶିଶୁପୁତ୍ରକୁ ବିକ୍ରି କରିଥିବା କଂସେଇ ବାପାକୁ ପୁଲିସ ଗିରଫ କରିଛି । ବଳରାମଙ୍କ ସଂପର୍କିୟ ଶାଳକ ବଳିଆ ବି ଏବେ ପୁଲିସ ହେପାଜତରେ । ଆଉ ମଧ୍ୟସ୍ଥି ସାଜିଥିବା ଅଙ୍ଗନୱାଡି କର୍ମୀଙ୍କୁ ଖୋଜୁଛି ପୁଲିସ । ଏବେ ଶିଶୁପୁତ୍ରଟି ନିଜ ମା’ ପାଖରେ ରହିଥିବା ଜଣାପଡିଛି ।