କୁକୁରକୁ କ୍ଷମା ନ ମାଗିବାରୁ ଛୁରି ଭୁଷିଦେଲେ ଦୁର୍ବୃତ ! ଛଟପଟ ହୋଇ ଗଲା ଜୀବନ ।

48

‘ଟମି’ ନାମକ ଗୋଟାଏ ଲାବ୍ରାଡର୍ କୁକୁରକୁ ‘ସରି’ ବା ଦୁଃଖୀତ ନ କହିବାରୁ ଜଣେ ବ୍ୟକ୍ତିଙ୍କୁ ଶନିବାର ରାତିରେ ଛୁରି ଭୁଷି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କର ନାମ ବିଜେନ୍ଦର ରାଣା। ବୟସ ୪୦ ବର୍ଷ । ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅନ୍ତର୍ଗତ ମୋହନ ଗାର୍ଡେନ୍ରେ ଘଟଣାଟି ଘଟିଲା ଏମିତି: ରାତି ଅଧ ହୋଇ ସାରିଥିବାରୁ ରାସ୍ତାଘାଟ ନିରୋଳା ହୋଇ ଯାଇଥିଲା। ୪୦ ବର୍ଷିୟ ବିଜେନ୍ଦର ନିଜର ମିନି ଟ୍ରକ୍ଟିକୁ ପାର୍କ କରିବାକୁ ଦ୍ରୁତ ବେଗରେ ଗୋଟାଏ ଖାଲି ଜାଗାକୁ ମାଡ଼ିଯିବା ବେଳେ ଗୋଟାଏ ଲାବ୍ରାଡର୍ କୁକୁର ଧରି ସେଠାରେ ତାଙ୍କର କେତେଜଣ ପଡ଼ୋଶୀ ଗପସପ କରୁଥିଲେ। ମିନିଟ୍ରକ୍ଟି ଯିବାବେଳେ ସେ କୁକୁର ଦେହରେ ଘଷି ହୋଇଯିବାରୁ ସେ ଭୁକି ଭୁକି ଗାଡ଼ି ପଛରେ ଗୋଡ଼ାଇ ଆସିଲା।

କୁକୁରକୁ ଧରି ରାତି ଅଧରେ ବୁଲାବୁଲି କରିବାକୁ ଆସିଥିଲେ ଅଙ୍କିତ, ପାରସ ଏବଂ ଦେବ। ବିଜେନ୍ଦର୍ ମିନି ଟ୍ରକ୍ ନେଇ ଫେରୁଥିବା ବେଳେ ଟମି ରାସ୍ତାକଡ଼ରେ ବସିଥିଲା। ରାସ୍ତାର ଅନ୍ୟ ପଟରେ ଗୋଟାଏ ସ୍କୁଟର୍ ପାଖରେ ଠିଆ ହୋଇ ତିନିହେଁ ଗପୁଥିଲେ। ଟମି ଭୁକୁ ଭୁକି ଟ୍ରକ୍ ଆଡ଼କୁ ଆସିବା ବେଳେ ତିନିହେଁ ଟ୍ରକ୍କୁ ଅଟକାଇ ବିଜେନ୍ଦରକୁ ଗାଳି ଫଜିତ୍ କଲେ । ତାଙ୍କ ଚୁଟି ଧରି କହିଲେ କି, ଟମିକୁ ‘ସରି’ କହି ଭୁଲ୍ ମାଗ। ଏଥିରେ ବିଜେନ୍ଦର ରାଗି ଯାଇ ଏଣୁତେଣୁ କହି ତାଙ୍କ କବଳରୁ ଖସି ଆସି ୫୦ ମିଟର ଦୂରକୁ ଯାଇଛନ୍ତି କି, ନାହିଁ ଅଙ୍କିତ ଏବଂ ପାରସ୍ ତାଙ୍କୁ ଟାଣି ଆଣି ମାଡ଼ପିଟ ଆରମ୍ଭ କରିଦେଲେ।

ଛୁରି ଏବଂ ସ୍କୃଡ୍ରାଇଭର୍ରେ ତାଙ୍କୁ ୬ ଥର ଭୁଷି ପକାଇଲେ। ବିଜେନ୍ଦରଙ୍କ ଚିତ୍କାର ଶୁଣି ବଡ଼ ଭାଇ ୪୫ ବର୍ଷିୟ ରାଜେଶ ସହାୟତା କରିବାକୁ ଘରୁ ଧାଇଁ ଆସିବାରୁ ତାଙ୍କୁ ମଧ୍ୟ ତିନି ଥର ଛୁରି ଭୁସି ପକାଇଲେ ସେମାନେ । ତୁରନ୍ତ ଦୁଇ ଭାଇଙ୍କୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ୍କୁ ନେଇ ଯାଇଥିଲେ। ସେଠାରେ ବିଜେନ୍ଦରଙ୍କର ମୃତ୍ୟୁ ଘଟିଛି ଏବଂ ରାଜେଶ ଜୀବନ ସଂଗ୍ରାମ କରୁଛନ୍ତି । ପୁଲିସ କହେ ଦୁଇ ଭାଇ ଅଙ୍କିତ ଏବଂ ପାରସ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ସେମାନଙ୍କର ଭଡ଼ାଟିଆ ଦେବ ଚୋପ୍ରା ଏଥିରେ ସମ୍ପୃକ୍ତ।