ମୃତ୍ୟୁଶଯ୍ୟାରେ ମା’ର ଯନ୍ତ୍ରଣା ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ ପୁଅ ! ବାର୍ଦ୍ଧକ୍ୟ ଭୟରେ କଲେ ଆତ୍ମହତ୍ୟା 

245

କନକ ବ୍ୟୁରୋ : ଅନ୍ତିମ ଶଯ୍ୟାରେ ମାଆଙ୍କ ଯନ୍ତ୍ରଣା ଦେଖିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ଫାର୍ମାସୀ କଲେଜର ଲ୍ୟାବ ଆସିଷ୍ଟାଂଟ୍ । ନିଜ ଫେସବୁକ୍ ଆକାଉଂଟରେ ସୁଇସାଇଡ୍ ନୋଟ୍ ଅପଲୋପ କରିବା ପରେ ଜୀବନ ହାରିଛନ୍ତି ଗୋଷାଇଁ ନୂଆଗାଁର ଅଜିତ ।ସୁଇସାଇଡ଼୍ ନୋର୍ଟରେ ଲଖିଛନ୍ତି ମୃତ୍ୟୁ ପୂର୍ବରୁ ମାଙ୍କ ଯନ୍ତ୍ରଣା ଦେଖିଛି ।  ବାର୍ଦ୍ଧକ୍ୟକୁ  ସହିପାରିବିନି ତେଣୁ ଚାଲିଯାଉଛି  । ଏଭଳି ଆବେଗଭରା ସୁଇସାଇଡ ନୋଟ୍ ଫେସବୁକ ଆକାଉଂଟରେ ପୋଷ୍ଟ କରି  ଆତ୍ମହତ୍ୟା କରିଛନ୍ତି ଜଣେ ଲାବୋରଟାରୀ ଆସିଷ୍ଟାଂଟ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବ୍ରହ୍ମପୁରରେ ।

ବ୍ରହ୍ମପୁର ଗୋଷାଇଁ ନୂଆଗାଁ ନିବାସୀ ଅଜିତ କୁମାର ପଣ୍ଡା । ବୟସ ୫୨ ବର୍ଷ । ଏକ ଘରୋଇ ଫାର୍ମାସୀ କଲେଜରେ ଲ୍ୟାବ ଆସିଷ୍ଟାଂଟ ଭାବେ କାମ କରୁଥିଲେ ଅଜିତ । ସେ ଅବିବାହିତ ଥିବାବେଳେ  ମାଆଙ୍କ ମୃତ୍ୟୁ ପରେ ଭଡା ଘରେ ଏକୁଟିଆ ରହୁଥିଲେ । ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ଛଟପଟ ହେବା ସହ ମୃତ୍ୟୁ ବେଳକୁ ତାଙ୍କ ମାଆ ବହୁତ କଷ୍ଟ ଭୋଗିଥିଲେ ।  ଯାହା ଅସହ୍ୟ ହୋଇଥିଲା ପୁଅ ଅଜିତଙ୍କୁ  ।

୧୫ ତାରିଖ ରାତିରେ  ଫେସବୁକ ଆକାଂଉଟରେ ଏକ ସୁଇସାଇଡ ନୋଟ ଅପଲୋଡ କରିଥିଲେ ଅଜିତ ।  ସୁଇସାଇଡ ନୋଟ ଦେଖିବା ପରେ ତାଙ୍କ ସମ୍ପର୍କୀୟ ଓ କିଛି ସହକର୍ମୀ ତାଙ୍କ ଭଡାଘରେ ପହଁଚିଥିଲେ । ଘର ଖୋଲିବା ପୂର୍ବରୁ ପୋଲିସକୁ ଖବର ଦେବାକୁ ଲେଖିଥିଲେ ଅଜିିତ୍  । ପୋଲିସକୁ ଫୋନ କରିବା ପରେ ଅଜିତଙ୍କ ଝୁଲନ୍ତା ମୃତଦେହକୁ ଜବତ କରାଯାଇଥିଲା । ମୃତଦେହ ନିକଟରେ ମଧ୍ୟ ମିଳିଥିଲା ସୁଇସାଇଡ ନୋଟ୍ । ଇଂରାଜୀ ଭାଷାରେ  ଲେଖାହୋଇଥିବା ସୁଇସାଇଡ୍ ନୋଟରେ ମାଆଙ୍କ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଘଟଣା ତାଙ୍କୁ ବହୁତ କଷ୍ଟ ଦେଇଥିବା ଦର୍ଶାଇଛନ୍ତି ଅଜିତ । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖିବା ସହ ପୁନଃଜନ୍ମ ପ୍ରକ୍ରିୟାରୁ ମୁକ୍ତି ନିମନ୍ତେ ପ୍ରାର୍ଥନା କରିବା ପାଇଁ ସୁଇସାଇଡ ନୋଟରେ ସେ ଅନୁରୋଧ କରିଛନ୍ତି ।

ବର୍ଷକ ତଳେ ମାଆଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଅଜିତ୍ । ସବୁବେଳେ ତାଙ୍କ ମନ ଭିତରେ ରହୁଥିଲା ବାର୍ଦ୍ଧକ୍ୟ ଡର । କଲେଜରେ ସହକର୍ମୀଙ୍କୁ ମଧ୍ୟ ଅଧିକ କାମ ଦେବା ପାଇଁ କହୁଥିଲେ । ହେଲେ ସେ ଯେ ଆତ୍ମହତ୍ୟା କରିଦେବେ, ଏକଥା କେହି ଭାବି ପାରିନଥିଲେ । ମାନସିକ ଚାପରେ ରହି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ । ବ୍ରହ୍ମପୁରର ଏପରି ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି ।