ଅନଲାଇନ୍ ସାଇଟରୁ ମଗାଇଥିଲେ ଫୋନ ! ପ୍ୟାକିଙ୍ଗ ଖୋଲି ଦେଖିବା ପରେ ଉଡିଗଲା ହୋସ ।

32

ଅନଲାଇନରୁ ସପିଙ୍ଗ କରି ପୂର୍ବରୁ ମଧ୍ୟ ଅନେକ ଲୋକ ହଟହଟା ହୋଇଥିବାର ନଜିର ସାମ୍ନାକୁ ଆସିଛି । କେତେବେଳେ ଫୋନ ବକ୍ସ ମଧ୍ୟରୁ ଲାଇଫ୍ ବଏ ସାବୁନ ବାହାରିଛି ତ ଆଉ କେଉଁଠି ପ୍ୟାକିଙ୍ଗ ଭିତରୁ ମୃତ କୁମ୍ଭିର ମିଳିଛି । ଏହି ଭଳି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ଏବେ ମଧ୍ୟ ପୂନର୍ବ ସେହିଭଳି ଏକ ଘଟଣା ଔରଙ୍ଗାବାଦରେ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ରର ଔରଙ୍ଗାବାଦରୁ ଅନଲାଇନ୍ ସପିଙ୍ଗକୁ ନେଇ ଏକ ମାମଲା ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ଯୁବକ ଅନଲାଇନ୍ ସପିଙ୍ଗ ସାଇଟରୁ ଏକ ଫୋନ ଅର୍ଡ଼ର କରିଥିଲେ । ନିର୍ଦ୍ଧାରିତ ସମୟରେ ଫୋନ ଡ଼େଲିଭରି ମଧ୍ୟ ହୋଇଥିଲା । କିନ୍ତୁ ପ୍ୟାକେଟରୁ ଯାହା ବାହାରିଲା ତାକୁ ଦେଖି ଯୁବକଙ୍କ ହୋସ ଉଡ଼ିଯାଇଥିଲା । ଆସିଥିବା ପ୍ୟାକେଟରେ ଇଟା ଖଣ୍ଡ ଦେଖି ଯୁବକଙ୍କ ଗୋଡ଼ ତଳୁ ମାଟି ଖସି ଯାଇଥିଲା । ଏଭଳି ଭାବରେ ଠକେଇର ଶିକାର ହେବା ପରେ ଯୁବକ ଜଣଙ୍କ ଏବେ ଏ ନେଇ ହରସୁଲ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ଖରାତ ନାମକ ଜଣେ ଯୁବକ ଅନଲାଇନରେ ଫୋନ ମଗାଇଥିବା ବେଳେ ଏ ନେଇ ସେ ୯,୧୩୪ ଟଙ୍କା ପୈଠ କରିଥିଲେ । ଯାହା ପରେ ଏକ ସପ୍ତାହ ମଧ୍ୟରେ ତାଙ୍କ ଜିନିଷ ଡ଼େଲିଭରି କରିଦିଆଯିବ ବୋଲି ଏକ ମେସେଜ ତାଙ୍କ ପାଖକୁ ଆସିଥିଲା । ରବିବାର ଖରାତଙ୍କୁ ତାଙ୍କ ମଗାଇଥିବା ଜିନିଷ ମିଳିବା ପରେ ତା’ ଭିତରେ ଛୋଟ ଛୋଟ ଇଟା ଖଣ୍ଡ ଥିବା ଦେଖିଥିଲେ ଖରାତ । ଯାହା ପରେ ସେ ଡ଼େଲିଭରି ବଏକୁ ଫୋନ କରି କାରଣ ପଚାରିଥିଲେ । ‘ଡ଼େଲିଭରି ଦେବା ମୋ ଦାୟିତ୍ୱ । କିନ୍ତୁ ପ୍ୟାକେଟ ଭିତରେ କ’ଣ ରହିଛି ତାହା ମୋର ଭୁଲ ନୁହେଁ ବୋଲି ଡ଼େଲିଭରି ବଏ କହିବା ପରେ ଶେଷରେ ବାଧ୍ୟ ହୋଇ ଖରାତ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଏବେ ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।