ଭିନ୍ନ ଜଣେ ମଣିଷ ! ସମ୍ବଳ ନଥାଇ ମଧ୍ୟ ଦୂର୍ଘଟଣାଗ୍ରସ୍ଥ ଝିଅର ଜୀବନ ବଞ୍ଚାଇବାକୁ ଆଗକୁ ଆସିଲେ ଅଚିହ୍ନା ଯୁବକ।

52

କନକ ବ୍ୟୁରୋ : କାହାକୁ ସାହାର୍ଯ୍ୟର ହାତ ବଢାଇବା ପାଇଁ ପାଖରେ କେବଳ ବିଡାଏ ଟଙ୍କା ଥିବା ଦରକାର ଏଭଳି ଚିନ୍ତାଧାରା ପ୍ରାୟତଃ ସମସ୍ତଙ୍କ ମନରେ ଥିବ କିନ୍ତୁ ଏଭଳି ମାନସିକତାକୁ ଭୁଲ ପ୍ରମାଣିତ କରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜିନୁ ପଲେଇ । ଗରିବ ପରିବାରରୁ ଆସିଥିବା ଜିନୁ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ପିଲାଟି ଦିନରୁ ଲୋକଙ୍କ ଦୁଃଖ ସମ୍ଭାଳି ନପାରି ସେ ନିଜେ କାନ୍ଦି ପକାଉଥିଲେ । କିନ୍ତୁ ବଡହେବା ପରେ ନିଜ ସାମର୍ଥ୍ୟ ଅନୁସାରେ ଦୀନଦୁଃଖି ଲୋକଙ୍କର ସାହାର୍ଯ୍ୟ କରିବାକୁ ଲାଗିଲେ । ନିକଟରେ ଆମେ ଆପଣଙ୍କୁ ଆଦ୍ୟାଷା ହୋତା ନାମ୍ନୀ ଛୋଟ ଝିଅର ମହାନତା ବିଷୟରେ କହିଥିଲୁ । ଯିଏ ମାନସୀ ତରେଇ ନାମ୍ନୀ ଏକ କଲେଜ ଛାତ୍ରୀର ଅସୁବିଧା ସମୟରେ ସାହାର୍ଯ୍ୟର ହାତ ବଢାଇଥିଲା । ସଡକ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଥିବାବେଳେ ମାନସୀ ବାପାଙ୍କ ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ କହିଲେ କେବଳ ଭିଟାମାଟି ଥିଲା । ଯାହାକୁ ସେ ବିକ୍ରି ମଧ୍ୟ କରି ଦେଇଥିଲେ । କିନ୍ତୁ ସାଙ୍ଗମାନଙ୍କ ଠାରୁ ଝିଅଟିର ଏବଂ ପରିବାରର ଏଭଳି ଦୁଃଖଦ ଖବର ଶୁଣି ଜିନୁଙ୍କ ମନ ସାହାର୍ଯ୍ୟ କରିବା ପାଇଁ ବିଚଳିତ ହୋଇପଡିଲା । ପାଖରେ ନଥିଲା ଟଙ୍କା କିନ୍ତୁ ମନରେ ଥିଲା ଆତ୍ମବିଶ୍ୱାସ ଯେ କେଉଁଠୁ କ’ଣ କରି ଟଙ୍କା ପଇଠ କରିବେ ଏବଂ ମାନସୀଙ୍କ ଚିକିତ୍ସାରେ ଲଗାଇବେ । ତାଙ୍କ ପ୍ରଥମ ପଦକ୍ଷେପ ଥିଲା ସୋସିଆଲ୍ ମିଡିଆ ଯେଉଁଠାରୁ ସେ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଅନୁରୋଧ କଲେ ଏବଂ ଦ୍ୱିତୀୟରେ ଗାଁ ଗାଁ ବୁଲି ବାକ୍ସରେ ଲୋକଙ୍କଠାରୁ ଝିଅଟିର ଆଶୁ ଚିକିତ୍ସା ପାଇଁ ଟଙ୍କା ମାଗିବାକୁ ଲାଗିଲେ । ପ୍ରାୟ ୧୫ ଦିନ କାଳ ଖରାତରାରେ ବୁଲି ସେ କିଛି ଟଙ୍କା ପଇଠ କରି ମାନସୀଙ୍କ ବାପାଙ୍କୁ ଚିକିତ୍ସା ପାଇଁ ଅର୍ଥ ପଠାଇଲେ । ଜଣେ ଅଜଣା ଯୁବକଙ୍କ ଏଭଳି ପ୍ରୟାସ ତାଙ୍କ ପରିବାର ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଥିଲା । ପରେ ସୋସିଆଲ୍ ମିଡିଆରେ ବିଭିନ୍ନ ସ୍ଥାନରୁ ଝିଅଟିକୁ ସାହାର୍ଯ୍ୟ କରିବା ପାଇଁ ସହୃଦୟତାର ହାତ ଛୁଟିଆସିଲା । ଦୁର୍ଘଟଣାର ୧୮ ଦିନ ପରେ ଝିଅଟି ଏବେ କଥା କହି ପାରୁଛି ଏବଂ କେବଳ ଜିନୁଙ୍କ ଯୋଗୁଁ ନୁଆ ଜୀବନ ପାଇବା କଥା କହୁଛି । ଆପଣାର ନ ହୋଇ ମଧ୍ୟ ଜିନୁଙ୍କର ଏହିଭଳି ଆଚରଣକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ବର୍ତ୍ତମାନ ଝିଅଟି ସାହାର୍ଯ୍ୟ କରିଥିବା ସବୁ ଲୋକଙ୍କ ପାଖକୁ ଚିଠି ଲେଖିବାରେ ଲାଗିଛି । ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ବିପଦରେ ସାହାର୍ଯ୍ୟ କରିଥିବା ଲୋକମାନଙ୍କୁ ଭେଟି ସେ ଏହି ଚିଠି ସବୁକୁ ଦେବାକୁ ମନସ୍ଥ କରିଛି । ଜିନୁଙ୍କ ଭଳି ଭାଇ ପାଇ ମାନସୀ ଏବେ ବହୁତ ଖୁସି ।