ଦାହ ସଂସ୍କାର ପାଇଁ ଶୁଭ ମୁହୂର୍ତ୍ତର ଅପେକ୍ଷାରେ ୧୮ଦିନ ଧରି ମାଆର ଶବ ସହ ରହୁଥିଲା ପୁଅ : ଘର ଭିତରୁ ମହିଳାଙ୍କ ଗଳିତ ଶବ ଜବତ

245

କୋଲକାତା ପୁଲିସ ସଲ୍ଟ ଲେକ୍ ଅଂଚଳର ଜଣେ ୩୮ବର୍ଷୀୟ ବ୍ୟକ୍ତିଙ୍କୁ ହାଜତକୁ ନେଇଛି । ପୁଲିସ ମୁତାବକ, ସେହି ବ୍ୟକ୍ତି ଜଣକ ଅନ୍ତିମ ସଂସ୍କାର ପାଇଁ ଶୁଭ ମୁହୂର୍ତ୍ତର ଅପେକ୍ଷାରେ ନିଜ ମାଆର ଶବ ୧୮ ଦିନ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଥିଲେ । ସଲ୍ଟ ଲେକ୍ ଅଂଚଳର ଏକ ଘର ଭିତରୁ ଦୁର୍ଗନ୍ଧ ଆସୁଥିବାର ଅଭିଯୋଗ ଆସିଥିଲା । ପୁଲିସ ଟିମ୍ ଯେତେବେଳେ ସେଠି ପହଂଚିଲେ, ତାଙ୍କୁ ଦୁଇ ମହଲା ଘର ଭିତରୁ ୭୫ବର୍ଷୀୟା ମହିଳାଙ୍କ ଶବ ସଢ଼ିଯାଇଥିବା ଅବସ୍ଥାରେ ମିଳିଲା । ଶବର ଅବସ୍ଥା ଏତେ ଖରାପ ଥିଲା ଯେ, ସେଥିରେ ପୋକ ଲାଗିଯାଇଥିଲେ ।

ବୃଦ୍ଧାଙ୍କ ପୁଅକୁ ଯେତେବେଳେ ପଚରାଗଲା, ସେ କହିଲେ କି, ଇସାଇ ପରମ୍ପରା ଅନୁସାରେ ସେ ତାଙ୍କ ମାଆକୁ ପୋତିବା ପାଇଁ ଶୁଭ ମୁହୂର୍ତ୍ତର ଅପେକ୍ଷା କରୁଥିଲେ । ତାଙ୍କ ମାଆ ଜଣେ ବାଳିକା ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଥିଲେ । ତାଙ୍କ ପିତା ସରକାରୀ ହସପିଟାଲରେ ନ୍ୟୁରୋସର୍ଜନ ଥିଲେ । ତାଙ୍କ ପିତାଙ୍କ ବି ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ପୁଲିସ ଯାଂଚ ମୁତାବକ, ଶବ ରଖିଥିବା ଯୁବକ ଜଣକ ମାନସିକ ରୋଗଗ୍ରସ୍ତ ଜଣାପଡୁଛନ୍ତି । ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ଓ ମାମଲାର ଯାଂଚ କରୁଛି ପୁଲିସ ।