ତନ୍ତ୍ରସାଧନା ପାଇଁ ଉଜୁଡିଗଲା ପରିବାର ! ପତ୍ନୀଙ୍କୁ ବଳି ଦେଲା ସ୍ୱାମୀ, ଅସହାୟ ଦୁଇ ଛୁଆ ।

120

ତନ୍ତ୍ର ସାଧନା ବଳରେ ଶକ୍ତି ହାସଲ ପାଇଁ ପିଶାଚ ପାଲଟି ଯାଇଛି ସ୍ବାମୀ । ପତ୍ନୀକୁ ବଳି ଦେଇ ନିଜ ଦୁଇ ଛୁଆଙ୍କୁ ମାଆ ଛେଉଣ୍ଡ କରି ଉଜାଡ଼ି ଦେଇଛି ପରିବାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁର ଦାଶରଥିମୁଣ୍ତା ସାହିରେ। ଉକ୍ତ ଗାଁର ଚଗଲା ସେଠୀ (୪୦) ଗତ ମଙ୍ଗଳାବାର ରାତିରେ ବଳି ଉଦ୍ଦେଶ୍ୟରେ ନିଜ ସ୍ତ୍ରୀ’ ସୁଲୋଚନା ସେଠୀ (୩୭)ଙ୍କୁ ହତ୍ୟା କରିଥିବାବେଳେ ଶନିବାର ଗଳିତ ଶବ ଉଦ୍ଧାର ହୋଇଛି। ପଚରାଉଚରା ପରେ ଅଭିଯୁକ୍ତ ସ୍ବାମୀ ବଳି ପାଇଁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି। ଅପର ପକ୍ଷରେ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି। ଥାନାରେ ଅଟକ ଥିବା ଅଭିଯୁକ୍ତକୁ ଗାଁକୁ ଆଣି ହାଜର କରିବା ଦାବିରେ ଗ୍ରାମବାସୀ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମକୁ ଅଟକ ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଚଗଲା ସ୍ତ୍ରୀ’ ସୁଲୋଚନା ସହ ପ୍ରାୟ ସବୁଦିନ ଝଗଡା କରୁଥିଲା ଓ ନିର‌୍ୟାତନା ଦେଉଥିଲା। ଏହାଛଡ଼ା ଗ୍ରାମ ଲୋକଙ୍କୁ ମଧ୍ୟ ବିଭିନ୍ନ ସମୟରେ ତନ୍ତ୍ରମନ୍ତ୍ର ଭୟ ଦେଖାଇ ହଇରାଣ କରୁଥିଲା। ସେ ନିଜ ଘର ବାଡିପଟ ଏକ ଗଛ ମୂଳରେ ଫୁଲ, ସିନ୍ଦୁର, ଧୂପ ଦେଇ ପ୍ରତି ରବିବାର ଓ ମଙ୍ଗଳବାର ଦିନ ତନ୍ତ୍ର ସାଧନା କରୁଥିଲା ବୋଲି ଗ୍ରାମବାସୀ ଏବ˚ ଚଗଲାର ଝିଅ ସ˚ଯୁକ୍ତା (୧୪ ବର୍ଷ) ଏବ˚ ପୁଅ ବୈକୁଣ୍ଠ (୧୧ ବର୍ଷ) କହିଛନ୍ତି। ଅଧିକ ତନ୍ତ୍ରବିଦ୍ୟା ହାସଲ ପାଇଁ ଗତ ଅକ୍ଟୋବର ୩୦ ତାରିଖ ମଙ୍ଗଳବାର ରାତିରେ ନିଜ ସ୍ତ୍ରୀ ସୁଲୋଚନାଙ୍କୁ ବଳି ଦେବା ପାଇଁ ଯୋଜନା କରିଥିଲା। ଯୋଜନା ଅନୁସାରେ ଘରେ ସମସ୍ତେ ଶୋଇ ସାରିଲା ପରେ ରାତି ପ୍ରାୟ ୧୧ଟାରେ ସୁଲୋଚନା ଶୋଇଥିବାବେଳେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାପରେ ସୁଲୋଚନାଙ୍କ ମୃତଦେହକୁ ବୋହିନେଇ ଘର ଠାରୁ ପ୍ରାୟ ୧ କିମି ଦୂର ବେଗୁନାନାଳି ନାମକ ଏକ ନିର୍ଜନ ସ୍ଥାନର ଆମ୍ବଗଛ ତଳେ ପକାଇଥିଲା। ତାପରେ ନେଇଥିବା ଟାଙ୍ଗିଆରେ ସୁଲୋଚନାଙ୍କ ଏକ ହାତକୁ କାଟି ରକ୍ତ ଆଣି ଘର ବାଡ଼ି ପଛପଟ ତନ୍ତ୍ର ସାଧନା ପୀଠରେ ପକାଇ ପୂଜା କରିଥିଲା। ତା’ପର ଦିନ ବୁଧବାର ସକାଳୁ ସ୍ତ୍ରୀ’ ସୁଲୋଚନା କୁଆଡ଼େ ଚାଲିଯାଇଛି କହି ନଜାଣିଲା ପରି ସାହି ଲୋକଙ୍କ ସହ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲା। ହେଲେ ତିନିଦିନ ଯାଏ କୌଣସି ଖୋଜଖବର ମିଳି ନଥିଲା। ଶୁକ୍ରବାର ସନ୍ଧ୍ୟାରେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ପଚାଗନ୍ଧ ବାରି ପୁଣି ଖୋଜାଖୋଜି କରିଥିଲେ। ଆମ୍ବଗଛ ମୂଳରେ ସୁଲୋଚନାଙ୍କ ଗଳିତ ଶବ ପଡ଼ିଥିବା ଦେଖି ତାଙ୍କ ସାହି ଲୋକଙ୍କୁ ଖବର ଦେଇଥିଲେ।

ଘଟଣା ସ˚ପର୍କରେ ସୁଲୋଚନାଙ୍କ ଭାଇ ପ୍ରସନ୍ନ ବେହେରା ଜାଣିବା ପରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ସନ୍ଧ୍ୟାରେ ସୁଲୋଚନାଙ୍କ ସ୍ବାମୀ ଚଗଲାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ତନ୍ତ୍ର ସାଧନା ପାଇଁ ପତ୍ନୀଙ୍କୁ ବଳି ଦେଇଛି ବୋଲି ପୁଲିସ୍ ଆଗରେ ପ୍ରକାଶ କରିଛି। ଘଟଣାର ଅଧିକ ତଦନ୍ତ ପାଇଁ ଶନିବାର ନାକଟିଦେଉଳ ଥାନା ଅଧିକାରୀ, ରେଢାଖୋଲ ଏସଡିପିଓ ଏବ˚ ସାଇଣ୍ଟିଫିକ୍ ଟିମ୍ ଗ୍ରାମରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ଥାନାରେ ଅଟକ ଥିବା ଅଭିଯୁକ୍ତ ଚଗଲାକୁ ଗାଁକୁ ଆଣି ସେମାନଙ୍କ ସମ୍ମୁଖରେ ହାଜର କଲେ ଶବ ଛାଡ଼ିବେ ବୋଲି ଗ୍ରାମବାସୀ ଦାବି କରିଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗାଁ ଲୋକେ ଦାବି କରିଥିଲେ। ବୁଝାଶୁଝା ପରେ ଶେଷରେ ଗ୍ରାମବାସୀ ଶବ ଓ ପୁଲିସ ଟିମକୁ ଛାଡ଼ିଥିବା ଜଣାପଡ଼ିଛି।