ଟଙ୍କା ଆଗରେ ଲୁଚିଗଲା ମା’ର ମମତା ! ପେନସନ ପାଇଁ ମା’ର ଶବକୁ ତିନି ବର୍ଷ ଘରେ ଲୁଚାଇ ରଖିଲା ପୁଅ ।

67

ସାମାନ୍ୟ କେତେଟା ଟଙ୍କା ପାଇଁ ପୁଅ ଭୁଲିଗଲା ନିଜ ମା’ର ମମତା । ପେନସନ ପାଇବା ଲୋଭରେ ନିଜ ମାର ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର ନକରି ମର ଶରୀରକୁ ଦୀର୍ଘ ତିନି ବର୍ଷ ଧରି ଘର ଭିତରେ ଫ୍ରିଜର ମଧ୍ୟରେ ରଖିଥିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଲକାତା ଠାରେ । ମା’ଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର ନକରି କିମ୍ବା ମୃତ ଶରୀରକୁ କବର ନଦେଇ ନିଜ ଘରେ ଏକ ଫ୍ରିଜର ମଧ୍ୟରେ ଦୀର୍ଘ ତିନି ବର୍ଷ କାଳ ସାଇତି ରଖିବା ଅପରାଧରେ ଦକ୍ଷିଣ କୋଲକାତା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

କୋଲକାତାର ଜଣେ ଲେଦର ଟେକ୍ନୋଲୋଜିଷ୍ଟ ସୁଭ୍ରତୋ ମଜୁମଦାରଙ୍କର ମା ବୀଣା ମଜୁମଦାର ଜଣେ ଅବସରପ୍ରାପ୍ତ ଏଫସିଆଇ ଅଫିସର ଥିଲେ । ତାଙ୍କୁ ପ୍ରତି ମାସ ୫୦ ହଜାର ଟଙ୍କା ପେନସନ ମିଳୁଥିଲା । ଗତ ୨୦୧୫ ଏପ୍ରିଲ ୭ ତାରିଖରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୀଣା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତେବେ ଅଭିଯୋଗ ହୋଇଛି ଯେ, ମାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପୁଅ ସୁଭ୍ରତୋ ଦୀର୍ଘ ତିନି ବର୍ଷ ପର୍ଯ୍ୟନ୍ତ ପେନସନ ନେଉଥିଲେ ।

ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଯେ, କେମିତି ଏତେ ଯତ୍ନର ସହ ଦୀର୍ଘ ତିନି ବର୍ଷ ଧରି ମର ଶରୀରକୁ ସୁରକ୍ଷିତ ସାଇତି ରଖିଥିଲା । ପୋଲିସର କହିବା କଥା, ସୁଭ୍ରତୋ ଜାଣିଥିଲା ଯେ, ଶବକୁ କିଭଳି ସୁରକ୍ଷିତ ରଖାଯାଇପାରିବ ।

ସୁଭ୍ରତୋଙ୍କ ୯୦ ବର୍ଷର ବାପା ଗୋପାଳ ଚନ୍ଦ୍ର ମଜୁମଦାର ମଦ୍ୟ ସ୍ୱୀକାର କରିଛନ୍ତି ଯେ, ତାଙ୍କ ପତ୍ନୀଙ୍କର ମର ଶରୀର ଘର ଭିତରେ ହିଁ ପଡି ରହିଥିଲା । ସେ କହିଛନ୍ତି ଯେ, ତାଙ୍କ ପୁଅ ନିଜ ମା ପୁଣି ଜୀବିତ ହୋଇ ଉଠିବେ ବୋଲି ଭାବି ତାଙ୍କ ଶରୀରକୁ ଫ୍ରିଜରରେ ସାଇତି ରଖିଥିଲା ।

ସୁଭ୍ରତୋଙ୍କ ପଡୋଶୀ କହିଛନ୍ତି ଯେ, ସୁଭ୍ରତୋ କାହା ସହ କଥାବାର୍ତ୍ତା କରୁନଥିଲା । ପଡୋଶୀମାନେ କହିଛନ୍ତି କି ସେମାନେ ଜାଣିଥିଲେ ଯେ, ସୁଭ୍ରତୋଙ୍କ ମା’ଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ସମସ୍ତେ ଅଜଣା ଥିଲେ ।

ତେବେ ଘଟଣାସ୍ଥଳରୁ ପୋଲିସ ଫ୍ରିଜର ସହ କେମିକାଲର ବହୁତ ସାରା ବୋତଲ ଜବତ କରିଛି । ପୋଲିସ କହିଛି ଯେ, ପେନସନ ପାଇଁ ସେ ସାର୍ଟିଫିକେଟ ମଧ୍ୟ ତିଆରି କରିସାରିଥିଲା । ଏହି ସାର୍ଟିଫିକେଟ କେଉଁଠି ତିଆରି କରାଯାଇଥିଲା ସେନେଇ ପୋଲିସ ତଦନ୍ତ କରୁଛି ।

କୋଲକାତା ଦକ୍ଷିଣ-ପଶ୍ଚିମ ପୋଲିସ ଟିମ୍ ସୁଭ୍ରତୋର ଘରେ ସର୍ଚ୍ଚ ଅପରେସନ କରିଥିଲେ । ସେଠାରୁ ଆଉ ଏକ ଫ୍ରିଜର ଜବତ କରାଯାଇଛି । ଏମିତି ଲାଗୁଛି ଯେ, ତାଙ୍କ ବାପାଙ୍କ ମୃତ୍ୟୁ ପରେ ମଧ୍ୟ ସେ ତାଙ୍କ ଶରୀରକୁ ଫ୍ରିଜରରେ ରଖିବାକୁ ଚାହୁଁଥିଲା । ଅଭିଯୁକ୍ତ ପୁଅ ଏବଂ ତା ବାପାଙ୍କୁ ପଚରାଉଚୁରା ପାଇଁ ପୋଲିସ ହେଫାଜତରେ ରଖିଛି ।