ଏମିତି ଦେଶପ୍ରେମୀଙ୍କୁ ସଲାମ୍ ! ଭାରତୀୟ ସେନାର ୫୬୦ ଜଣ ସହିଦଙ୍କ ନାଁ ନିଜ ପିଠିରେ ଟାଟୁ କରିଛନ୍ତି ଏହି ବ୍ୟକ୍ତି ।

161

ଅଭିଷେକ ଗୌତମ ନାମକ ଜଣେ ୩୦ ବର୍ଷିୟ ଇଣ୍ଟରିୟର୍-ଡିଜାଇନର୍ ତାଙ୍କ ପିଠିରେ କରାଇଥିବା ୫୯୩ଟି ଟାଟୁ ମଧ୍ୟରେ ରହିଛି ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାମ । ସେ କାରଗିଲ୍ ଯୁଦ୍ଧ ସହିଦ ହୁଅନ୍ତୁ କି, ନିକଟ ଅତୀତର ହୁଅନ୍ତୁ, ସମସ୍ତଙ୍କ ନାମ ସେ ନିଜ ପିଠିରେ ଟାଟୁ ବା ଚିତା କୁଟାଇଛନ୍ତି । ସହିଦଙ୍କ ବ୍ୟତିରେକ ସେ ତାଙ୍କ ଦେହରେ ମହାତ୍ମା ଗାନ୍ଧୀ, ଭଗତ ସିଂହଙ୍କ ସମେତ କେତେକ ସ୍ୱାଧୀନତା ସଂଗ୍ରାମୀଙ୍କ ଟାଟୁ କରାଇଛନ୍ତି। ସମଗ୍ର ଟାଟୁ କରାଇବାକୁ ଲାଗି ଥିଲା ଆଠ ଦିନ ।

ପ୍ରତି ଦିନ ସେ ୬ ଘଣ୍ଟା ଧରି ଟାଟୁ ଲେଖାଇଛନ୍ତି ହାପୁରବାସୀ ଗୌତମ। ସେ କହନ୍ତି: ଆଜିକାଲି, ପ୍ରେମର ନିଦର୍ଶନ ସ୍ୱରୂପ ପ୍ରିୟଜନର ନାମ ଲେଖାଇବା ହିଁ ସବୁଠୁ ବଡ଼ କଥା ହୋଇଛି। ଲୋକେ ସବୁବେଳେ ନିଜ ଯୋଡ଼ିଦାରଙ୍କ ନାଁ ଟାଟୁ କରାନ୍ତି, କିନ୍ତୁ ମୋ ଲାଗି ଦେଶପ୍ରୀତି ସବୁଠୁ ବଳି। ଭାରତୀୟ ସେନା ଆମ ସୁରକ୍ଷା ଲାଗି ସବୁବେଳେ ସଜାଗ ରହିଛି ଏବଂ ଦେଶ ପାଇଁ ଆତ୍ମବଳି ଦେଇଥିବା ଅନେକ ସୈନିକ ଅଛନ୍ତି। ମୋ ଦେହରେ ସେମାନଙ୍କ ନାମ ଲେଖାଇବା ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।

ଏ କଥା କେମିତି ମନକୁ ଆସିଲା ବୋଲି ପଚରା ଯିବାରୁ, ସେ କହିଲେ: ଗତବର୍ଷ ମୁଁ ଲେହ୍ ଲଦାକ୍ ଯାଇଥିଲି। ମୋ ବନ୍ଧୁମାନଙ୍କ ମଧ୍ୟରୁ ଜଣକୁ ଭାରତୀୟ ସେନା ବଞ୍ଚାଇଲେ ଏବଂ ସୈନିକମାନେ ଥିବାରୁ ଯାତ୍ରାକାଳରେ ଆମେ ସୁରକ୍ଷିତ ମଣିଥିଲୁ। ସେବେଠାରୁ ମୁଁ ଭାବୁଥିଲି ଯେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବାକୁ ମୁଁ କିଛି କରିବି। ତା’ପରେ ମୁଁ ଟାଟୁ କୁଟାଇବାକୁ ନିଷ୍ପତ୍ତି ନେଲି।

ପୂରା ବର୍ଷେ ଧରି ସେ ସହିଦମାନଙ୍କ ନାମ ଉପରେ ଗବେଷଣା କଲେ ଓ ସେମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟିଲେ। ତା’ପରେ ସେ ଦିଲ୍ଲୀର ଜଣେ ଟାଟୁକାରଙ୍କ ସହ ଯୋଗାଯୋଗ କଲେ। ସେ ଏହି ଟାଟୁଗୁଡ଼ିକ ଆଙ୍କିବା ପରେ ତାଙ୍କ ଦେହରେ କୁଟାଇ ଦେଲେ।

ଟାଟୁ କୁଟାଇବା ପୂର୍ବରୁ ସେ ଡାକ୍ତରମାନଙ୍କ ସହ ପରାମର୍ଶ କଲେ, କିନ୍ତୁ ଏ ଭଳି ଦୀର୍ଘ ଧାରାବାହିକ ପ୍ରକ୍ରିୟା ଯୋଗୁଁ ଦେହରେ ପ୍ରତିକ୍ରିୟା ଦେଖା ଦେଇ ପାରେ କହି ସେମାନେ ଏହା ନ କରିବାକୁ ଗୌତମଙ୍କୁ ପରାମର୍ଶ ଦେଲେ। ଗୌତମ ସେମାନଙ୍କ କଥା ନ ମାନି ଟାଟୁ କୁଟାଇଲେ। ସେ ଟାଟୁ କୁଟାଉଥିବା କଥା ତାଙ୍କ ପତ୍ନୀଙ୍କ ସମେତ ପରିବାରର କୌଣସି ଲୋକ ଜାଣି ନ ଥିଲେ। ପନ୍ଦର ଦିନ ପରେ ସେମାନେ ତାଙ୍କ ଟାଟୁ କଥା ଜାଣିଲେ।