ସେଲଫି ହେଲା କାଳ ! ଟ୍ରେନ୍ ଉପରେ ଚଢି ଫଟୋ ଉଠାଇବା ସମୟରେ ଲାଗିଲା କରେଣ୍ଟ, ଚାଲିଗଲା ଜୀବନ ।

303

ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ଉଠାଇବା ସମୟରେ ଅନେକଙ୍କର ଜୀବନ ଚାଲିଯାଇଥିବା ଭଳି ବିଭିନ୍ନ ଘଟଣାମାନ ପୂର୍ବରୁ ସାମ୍ନାକୁ ଆସିଛି । ଏନେଇ ଅନେକ ସଚେତନତା କରାଯାଉଥିଲେ ମଧ୍ୟ ଯୁବପୀଢିଙ୍କୁ ଘାରିରହିଛି ସେଲଫି ନିଶା । ଯାହାର ପରିଣତି ଏତେ ଭୟଙ୍କର ହୋଇପାରେ ସେନେଇ ଏକ ଘଟଣା ସାମ୍ନାକୁ ଆସିଛି । ଟ୍ରେନର ଛାତ ଉପରେ ସେଲଫି ନେବାଲାଗି ପ୍ରୟାସ କରୁଥିବା ବେଳେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାଯାଇଛି। ଅପରପକ୍ଷରେ ଯୁବକ ସହ ଜଣେ ନାବାଳକ ସେଲଫି ନେବାବେଳେ ଗୁରୁତରଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

ସେଲଫି ନେବା ସମୟରେ ସେମାନଙ୍କର ଶରୀରରେ ବିଦ୍ୟୁତ୍ ଲାଗିଗଲା , ଯାହା ଫଳରେ ମୃତ୍ୟୁ ଘଟିଥିବା କୁହାଯାଉଛି। ଟାଟା ନଗର ରେଳ ଷ୍ଟେସନଠାରୁ ମାତ୍ର ୫ କିଲୋମିଟର ଦୂରସ୍ଥ ସାଲଗାଜୁରୀ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି। ସେ ଦୁହେଁ ସେଲଫି ନେବାଲାଗି ଟ୍ରେନର ଛାତ ଉପରକୁ ଚଢ଼ିଯାଇଥିଲେ । ସେଲଫି ନେବା ବେଳେ ମହମ୍ମଦ୍ ଫୈସଲ(୨୦) ଏବଂ ମହମ୍ମଦ୍ ନାଭେଦ୍ (୧୧)ଙ୍କ ଦେହରେ ହାଇଟେନସନ୍ ତାର ଲାଗିଗଲା । ଏହାପରେ ଫୈସଲ ସେହି ତାର ଭିତରେ ଗୁଡେଇ ହୋଇଗଲା ଏବଂ ନାଭେଦ୍ ତଳେ ପଡ଼ିଗଲା। ଘଟଣାସ୍ଥଳରେ ହିଁ ମହମ୍ମଦ୍ ଫୈସଲର ପ୍ରାଣବାୟୁ ଉଡିଯାଇଥିଲା । ଅନ୍ୟପକ୍ଷରେ ନାଭେଦକୁ ଟାଟା ମେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟାଟାନଗର ରେଳ ଷ୍ଟେସନର ନିର୍ଦ୍ଦେଶକ ଏଚ୍ କେ ବଲମୁଚୁ କହିଛନ୍ତି ଯେ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି।