ଆପଣ କାହାକୁ ଚେକ୍ ଦେଉଛନ୍ତି କି? ତେବେ ନିଜ ପେନରେ ହିଁ ପୂରଣ କରନ୍ତୁ,ନଚେତ୍ ହୋଇପାରନ୍ତି ଠକେଇର ଶିକାର

ରାଜଧାନୀରେ ଅଭିନବ ଠକେଇ

191

କନକ ବ୍ୟୁରୋ : ଆପଣ କାହାକୁ ଚେକ୍ ଦେଉଛନ୍ତି କି? ଯଦି ହଁ ତେବେ ଚେକକୁ ସମ୍ପୂର୍ଣ୍ଣ ଭାବେ ନିଜ ପେନ୍ରେ ହିଁ ପୂରଣ କରନ୍ତୁ । ନଚେତ୍ ଆପଣ ଠକେଇର ଶିକାର ହୋଇପାରନ୍ତି । ଏପରିକି ଆପଣଙ୍କ ବ୍ୟାଙ୍କ ଆକାଉଁଟରୁ ଶୂନ ହୋଇପାରେ । ମ୍ୟାଜିକ ପେନ୍ ସହାୟତାରେ ଅଭିନବ ଉପାୟରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ ଏବେ ରାଜଧାନୀରେ ସକ୍ରିୟ ହୋଇଛି । ଏଭଳି ଅଭିଯୋଗ ବଢ଼ିବା ପରେ ଚିନ୍ତାରେ ପଡିଛି ପୋଲିସ୍ ।

ରାଜଧାନୀ ହଲଚଲ କରୁଛି ମୁମ୍ବାଇ ଠକ । ଏହି ଠକ ଏବେ ପାଲଟିଛି କମିଶନରେଟ ପୁଲିସ ପାଇଁ ମୋଷ୍ଟ ୱାଂଟେଡ୍ । ହାଇପ୍ରୋଫାଇଲ ଲୁକ୍ ସହ ଫର୍ମାଲ ଗେଟଅପ ଆଢୁଆଳରେ ଠକ ଲଗାଇଦେଇଛି ଲକ୍ଷ ଲକ୍ଷ ଟଙ୍କାର ଚୁନା । ଦୀର୍ଘଦିନ ଧରି ସୁମ୍ବାଇ ଲୋକଙ୍କୁ ଚୁନା ଲଗାଇବା ପରେ, ସେହିଭଳି ଏକ ଗ୍ୟାଙ୍ଗ ଅପରେଟ୍ କରୁଛି ରାଜଧାନୀରେ । ଟିକିଏ ସାବଧାନ ନ ରହିଲେ ଆପଣଙ୍କ ଆକାଉଂଟରକୁ କଳାକନା ବୁଲାଇ ଦେବେ ଏମାନେ । ଲୋକଙ୍କୁ ଲୁଟିବା ପାଇଁ ଏମାନଙ୍କ ଦରକାର ପଡୁନି କିଛି ବି ଅସ୍ତ୍ରଶସ୍ତ୍ର । ମ୍ୟାଜିକ ପେନ୍ ଜରିଆରେ ଆପଣଙ୍କ ଟଙ୍କା ନେଇ ଉଭାନ ହୋଇଯାନ୍ତି ଏହି ସ୍ମାର୍ଟ ଠକମାନେ ।

ବ୍ୟାଙ୍କରେ ଲୋନ୍ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଟାର୍ଗେଟ କରନ୍ତି ଏହି ଗ୍ୟାଙ୍ଗ । କମ୍ ସୁଧ ଏବଂ ଅଳ୍ପ ସମୟରେ ଅଧିକ ଟଙ୍କାର ଲୋନ୍ ଦେବେ ବୋଲି ପ୍ରତିଶୃତି ବି ଦିଅନ୍ତି । କୌଣସି ବ୍ୟକ୍ତି ରାଜି ହେବା ପରେ, ଏକ କ୍ୟାନସେଲ ଚେକ୍ ମାଗନ୍ତି ଏହି ଠକ ଗ୍ୟାଙ୍ଗ । ତେବେ ଚେକଟିକୁ ହାତରେ ପାଇବା ମାତ୍ରେ, ନିଜ ପାଖରେ ରଖିଥିବା ଏକ ମ୍ୟାଜିକ ପେନ୍ ଜରିଆରେ ଏହାକୁ କ୍ୟାନସଲ କରି ଦିଅନ୍ତି । ମ୍ୟାଜିକ ପେନରେ ଲେଖାଯାଇଥିବା ସମସ୍ତ ଅକ୍ଷର ଏବଂ ଗାର ଗୁଡିକୁ ଲାଇଟର ସାହାଯ୍ୟରେ ଅତି ସହଜରେ ଲିଭାଇ ଦେଇ ପାରନ୍ତି ଏମାନେ । ଆଉ ଚେକରେ ଥିବା ଦସ୍ତଖତରୁ ଖାଲି କରି ଦିଅନ୍ତି ଆପଣଙ୍କ ଆକାଉଁଟ । ଯାହା ଘଟିଛି ଜଗନ୍ନାଥ ଗ୍ରାଫିକ୍ସ ମାଲିକଙ୍କ ସାଙ୍ଗରେ ।

ଗତ କିଛି ଦିନ ତଳେ ମୁମ୍ବାଇ ପୁଲିସ ଏହି ଭଳି ମ୍ୟାଜିକ ପେନ୍ ଗ୍ୟାଙ୍ଗକୁ ଗିରଫ କରିଥିଲା । ସେହି ଗ୍ୟାଙ୍ଗ ମୁମ୍ବାଇ ପରେ, ଏବେ ରାଜଧାନୀରେ ଲୋକଙ୍କୁ ଲୁଟିବାକୁ ଡେରା ପକାଇଥିବା ସନ୍ଦେହ କରାଯାଉଛି । ଏବେ ଏହି ମ୍ୟାଜିକ ପେନ୍ ଗ୍ୟାଙ୍ଗର ପର୍ଦାଫାଶ କରିବା କମିଶନରେଟ୍ ପୁଲିସ ପାଇଁ ଏକ ବଡ ଚ୍ୟାଲେଂଜ୍ ପାଲଟିଛି ।