ବେଲୁନ ପାଇଁ ଗଲା ଜୀବନ : ପୋଖରୀପୁଟ ଓଭରବ୍ରିଜ ଉଦଘାଟନ ବେଳେ ମର୍ମସ୍ପର୍ଶୀ ଅଘଟଣ

37

କନକ ବ୍ୟୁରୋ : ବେଲୁନ ପାଇଁ ଗଲା ଜୀବନ । ଏହି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଓଭରବ୍ରିଜରେ । ଗତକାଲି ପୋଖରୀପୁଟ ଓଭରବ୍ରିଜ୍ ଉଦଘାଟନ ପରେ ପରେ ସେଠି ସଜା ଯାଇଥିବା ବେଲୁନକୁ ଛିଣ୍ଡାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ସୁନ୍ଦରପଦାରେ ରହୁଥିବା ସୀମାଂଚଳ ପଣ୍ଡା ଗତକାଲି ବ୍ରିଜ୍ ଉଦଘାଟନ ଉତ୍ସବକୁ ଦେଖିବାକୁ ଆସିଥିଲେ । ତାଙ୍କ ସହ ଉଦଘାଟନ ଦେଖିବାକୁ ଦୁଇ ଛୋଟ ପିଲା ଆସିଥିଲେ । ସେମାନେ ରଙ୍ଗିନ ବେଲୁନ୍ ମାଳ ଦେଖି ତାକୁ ନେବାକୁ ଜିଦ୍ ଧରିଥିଲେ । ଶେଷରେ ପିଲାଙ୍କ ଜିଦ୍ ଆଗରେ ହାରମାନିଥିଲେ ସୀମାଂଚଳ । ବିଦ୍ୟୁତ୍ ଖୁଂଟରେ ଟଙ୍ଗାଯାଇଥିବା ବେଲୁନ୍ ମାଳକୁ ଛିଣ୍ଡାଇ ଆଣିବାବେଳେ ଲାଗିଥିଲା ଶକ୍ତ ବିଦ୍ୟୁତ୍ ଝଟକା । ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ଖବର ପାଇଁ ପୁଲିସ ପହଂଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ପରେ ଏଭଳି ଅଘଟଣ ଘଟିଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ବିଜେପି ଓ କଂଗ୍ରେସ । ଉଭୟ ଦଳର କର୍ମୀ କ୍ୟାପିଟାଲ ହସ୍ପିଟାଲରେ ପହଂଚି ହୋହଲ୍ଲା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲରେ ପୁଲିସ ଫୋର୍ସ ମୂତୟନ କରାଯାଇଛି । ଏ ସମ୍ପର୍କରେ ଏୟାରଫିଲ୍ଡ ଥାନା ଇନ୍ସପେକ୍ଟର ଇନ-ଚାର୍ଜ ଏସିପି ଡିଏସ୍ ପ୍ରତାପ କହିଛନ୍ତି ଯୁବକ ଜଣକ ବେଲୁନ୍ ଛିଣ୍ଡାଉ ଛିଣ୍ଡାଉ ଲିଚୁ ତାର ଛିଣ୍ଡାଇ ଦେଇଥିଲେ। ଯେଉଁ କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।