ମାଡ଼ ଖାଇବା ପରେ ବି ପୁଅ ବିରୋଧରେ ପଦୁଟିଏ କହିଲେନି ମାଆ : କହିଲେ, ମୋତେ ମାରିନି ମୋ ପୁଅ

84

କନକ ବ୍ୟୁରୋ : ସବୁ ବେଳେ ପିଲାର ଅଳି ଅଝଟକୁ ବିନା ଦ୍ୱିଧାରେ ସିହି ନିଏ ମାଆ । ସବୁ ବେଳେ ନିଜ ପିଲାକୁ ପଣତ ତଳେ ଢାଙ୍କି ରଖିଥାଏ । ଏମତିକି ପୁଅଠାରୁ ମାଡ ଖାଇବା ପରେ ବି ପୁଅ ବିରୋଧ ପଦୁଟିଏ କହିବାକୁ ନାରାଜ ମାଆ । ଯାହା ଶୁଣିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ । ଯେଉଁ ପୁଅ ମାଆକୁ ଅତି ନିର୍ଦ୍ଦୟ ଭାବେ ତଳେ ପକାଇ ମାଡ ମାରୁଛି । ତା ବିରୋଧରେ ଗଣମାଧ୍ୟମ କି ପୁଲିସ ଆଗରେ ପଦେ କହୁନାହାନ୍ତି ଏ ମାଆ । ପୁଅ ମାଆକୁ ମାରୁଥିବାର ଚିତ୍ର ଆସିଛି ବାଲେଶ୍ୱର ବସ୍ତାରୁ । ବୁଢୀ ମାଆକୁ ଅତି ନୃଶଂସ ଭାବେ ମାଡ ମାରିଚାଲିଛି ପୁଅ । ଘରୋଇ କଳିକୁ କେନ୍ଦ୍ର କରି ଏଭଳି ଚିତ୍ର ସାମ୍ନାକୁ ଆସିଛି । ମାଆକୁ ନିର୍ଧୁମ ମାଡ଼ ମାରୁଛ ପୁଅ । ଏହି ଘଟଣା ପରେ କନକନ୍ୟୁଜ ସଂପୃକ୍ତ ବୁଢୀ ମାଆ ପାଖରେ ପହଂଚିଥିଲା ଆଉ କଣ ଥିଲା ତାଙ୍କର ପ୍ରତିକ୍ରିୟା ଆସନ୍ତୁ ଜାଣିବା ।

ସାକ୍ଷାତ୍‌କାରରେ ବୃଦ୍ଧା ଜଣକ ଯେପରି ମତ ରଖିଛନ୍ତି ତାହା ଆହୁରି ଦୁଃଖଦାୟକ । ଏତେ ସବୁ ପରେ ବି ପୁଅ ମୁଣ୍ଡରୁ ହଟିନି ମାଆର ସ୍ନେହପୂର୍ଣ୍ଣ ହାତ । ଘରକୁ ଆସିଥିବା ନବବଧୂକୁ ଆଡୁସାଡୁ କହି ଦେଲି ବୋଲି ଟିକେ ରାଗରେ ଆସି ସେ ଏମିତି କରିଦେଲା ବୋଲି ପୁଅ ସପକ୍ଷରେ ବୟାନ ରଖିଛନ୍ତି ମାଆ । ସେ ଜୋର୍‌ ମାରିନି, ଜୋର୍‌ ମାରିଥିଲେ ମୋ ଶରୀରରେ କ୍ଷତ ଥାଆନ୍ତା ବୋଲି ପୁଅକୁ ସମର୍ଥନ କରି ବୃଢ଼ୀ ମାଆ ଜଣକ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସଫେଇ ଦେଇଛନ୍ତି । ବସ୍ତା ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁତ୍ରକୁ ଗିରଫ କରିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।