ଖୋଲିଲା ଇ-ଟିକେଟ୍ କେଳେଙ୍କାରୀ ଗୁମର । ଏକାଧିକ ନମ୍ବର ବ୍ୟବହାର କରି ଇ-ଟିକେଟ୍ ଠକେଇ ଜାଲ ବିଛାଇଥିଲା ବିଷ୍ଣୁ, ବାନ୍ଧିଲା ରେଳବାଇ ପୋଲିସ ।

294

କନକ ବ୍ୟୁରୋ : ପୋଲିସ କବଜାରେ ଇ-ଟିକେଟ୍ ଠକ । ବନ୍ଧା ହେଲା ଇ-ଟିକେଟ୍ କେଳେଙ୍କାରୀ କରୁଥିବା ଜଣେ ବ୍ୟକ୍ତି । ଅନଲାଇନ୍ ଟ୍ରେନ୍ ଟିକେଟରେ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ରେଳବାଇ ପୋଲିସ ।

ନାଁ – ବିଷ୍ଣୁପ୍ରସାଦ ପଟ୍ଟନାୟକ । ଘର – ପୁରୀ ଜିଲ୍ଲା ଡେଲାଙ୍ଗ । ରାଜଧାନୀ ଭୁବନେଶ୍ୱରରେ ରହି ବିଭିନ୍ନ ଟ୍ରାଭେଲ୍ ଏଜେନ୍ସି ସହ ଯୋଗାଯୋଗରେ ରହିଥିଲା ବିଷ୍ଣୁ । ଆଉ ଚଳାଇଥିଲା ଅସାଧୁ ବ୍ୟବସାୟ । ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୪୦ଟି ଭିନ୍ନ ଭିନ୍ନ ୟୁଜର ଆଇଡି ଏବଂ ପାସୱାର୍ଡ ତିଆରି କରି ଠକେଇ କରୁଥିଲା ବିଷ୍ଣୁ ।

ଆଇଆରସିଟିସି ମାଧ୍ୟମରେ ରେଲୱେ ଟିକେଟ୍ କଟାହୋଇଥାଏ । ଅନଲାଇନ୍ ଟିକେଟ୍ ବିକ୍ରି କରିବା ପାଇଁ କିଛି ସଂସ୍ଥାକୁ ଅନୁମତି ଦେଇଥାଏ ଆଇଆରସିଟିସି । କିନ୍ତୁ ପ୍ରତିଦିନ ଏହି ସଂସ୍ଥା ଗୁଡିକ କେତୋଟି ଟିକେଟ୍ କାଟିପାରିବେ, ତାର ଏକ ସଂଖ୍ୟା ମଧ୍ୟ ନିର୍ଦ୍ଧାରଣ ରହିଥାଏ ।

ରେଲୱେ ଆକ୍ଟ ୧୪୩ ଅନୁସାରେ, ଜଣେ ବ୍ୟକ୍ତି ନିଜ ଆଇଡି ବ୍ୟବହାର କରି ନିଜପାଇଁ ଓ ପରିବାର ଲୋକଙ୍କ ପାଇଁ ଟିକେଟ୍ କରିପାରିବ । କିନ୍ତୁ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଅନ୍ୟମାନଙ୍କ ପାଇଁ ଟିକେଟ୍ କରିପାରିବ ନାହିଁ । ଆଉ ଯଦି କିଏ ଏଭଳି କରନ୍ତି ତେବେ, ଏହା ରେଲୱେ ଆକ୍ଟ ୧୪୩ ଅନୁଯାୟୀ, ଏକ ଦଣ୍ଡନୀୟ ଅପରାଧ । ଯେଉଁଥିପାଇଁ ୩ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନାର ପ୍ରାବଧାନ ମଧ୍ୟ ରହିଛି ।

ଗିରଫ ହୋଇଥିବା ଏହି ବ୍ୟକ୍ତିଜଣଙ୍କ ଏହିଭଳି ଅନେକ ଆଇଡି ତିଆରି କରି ଅନଲାଇନ ଟିକେଟର ଠକେଇ କରୁଥିଲେ । ଲୋକଙ୍କ ଠାରୁ ଅଧିକ ପଇସା ରଖି ତାଙ୍କ ପାଇଁ ଟିକେଟ୍ କରୁଥିଲେ । ରେଲୱେ ପୋଲିସର କହିବା ଅନୁଯାୟୀ, ଗିରଫ ହୋଇଥିବା ବିଷ୍ଣୁ ଠାରୁ ୭୦୦ ଟିକେଟ୍, ଗୋଟିଏ ଲାପଟପ୍ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।