ଭୁବନେଶ୍ୱରରେ ଭେଜାଲ ସୁନା ! ଦାମୀ ସୁନା ଦୋକାନର ଲୋଗୋ ଦେଇ ବିକ୍ରି କରୁଥିବା ବେଳେ ଧରିଲା ପୋଲିସ

46

କନକ ବ୍ୟୁରୋ : ଧରାପଡିଲା ଠକ ସୁନା ବେପାରୀ । ଅପମିଶ୍ରିତ ସୁନାରେ ନାମୀ ଦାମୀ ସୁନାଗହଣା ଦୋକାନର ଲୋଗୋ ଦେଇ ବିକ୍ରି ଉଦ୍ୟମ କରୁଥିବା ବେଳେ ଜଣେ ଦୁର୍ବୃତକୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ନାମୀ ସୁନା ଦୋକାନରୁ ଏଭଳି ଜଣେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳନଗର ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱରର ଏକ ନାମୀ ସୁନାଦୋକାନରେ ଅପମିଶ୍ରିତ ସୁନା ନକଲି ଲୋଗୋ ଲଗାଇ ବ୍ରିକ୍ରି କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୋକାନୀଙ୍କୁ ସୁନାର ଶୁଦ୍ଧତା ଉପରେ ସନ୍ଦେହ ହେବାରୁ ସେ ଅଧିକ ପଚରା ଉଚୁରା କରିଥିଲେ । ଫଳରେ ଠକ ଜଣକ ଦୋକାନ ଛାଡି ପଳାଇବାରୁ ସୁନା ଦୋକାନୀ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଠକକୁ ଖୋଜି ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଗ୍ରାମରୁ ଅଧିକ ସୁନା ଜବତ କରିଥିଲେ । ଜବତ ସୁନାର କେମିକାଲ ଯାଂଚ ପରେ ପାଖାପାଖି ୭୦ ପ୍ରତିଶତ ଖାଦ ଥିବା ବେଳେ ୩୦ ପ୍ରତିଶତ ସୁନା ଥିବା ଜଣାପଡିଥିଲା । ଏହି ଅପମିଶ୍ରିତ ସୁନା ପଛରେ ଏକ ର୍ୟାକେଟ କାମ କରୁଥିବା ସନ୍ଦେହ କରୁଛି ପୋଲିସ ।