ଏମିତି ବି ଜୀବନ ଯାଏ ! ଦୁର୍ଘଟଣାରେ ଅକାଳରେ ବାପ-ପୁଅଙ୍କ ମୃତ୍ୟୁ । ଛାରଖାର ହୋଇଗଲା ପୂରା ପରିବାର, ସ୍ତବ୍ଧ ହୋଇଗଲା ଗାଁ, ଖୋର୍ଦ୍ଧା ମଳିପଡ଼ା ଅଂଚଳରେ ଶୋକର ଛାୟା ।

ଏକାଠି ଜଳିଲା ବାପା ଓ ଦୁଇ ପୁଅଙ୍କ ଜୁଇ ।

1,620

କନକ ବ୍ୟୁରୋ : ଗୋଟିଏ ଦୁର୍ଘଟଣା ପୁରା ପରିବାରକୁ ନିଶ୍ଚିହ୍ନ କରିଦେଇଛି । ବାପା ସହ ଦୁଇ ପୁଅ ପ୍ରାଣ ହରାଇଛନ୍ତି । ଅକାଳରେ ଝରିପଡିଛି ତିନି ତିନିଟି ଜୀବନ । ଖୋର୍ଦ୍ଧା ମଳିପଡାରେ ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା, ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଜି ଗାଁରେ ଏକାସଙ୍ଗେ ଜଳିଛି ତିନି ତିନିଟି ଜୁଇ ।

ଖୋର୍ଦ୍ଧା ମଳିପଡାର ମଶାଣିରେ ଏକାସଙ୍ଗେ ଜଳିଛି ତିନି ତିନିଟି ଜୁଇ । ବାପା ସହ ଜୁଇରେ ଜଳିଛନ୍ତି ଦୁଇ ପୁଅ । ଗୋଟିଏ ଦୁର୍ଘଟଣା, ପୁରା ପରିବାରକୁ ନିଶ୍ଚିହ୍ନ କରିଦେଇଛି । ପରିବାରର ମୁରବୀ ସହ ଦୁଇ ଦୁଇଟି ରୋଜଗାରିଆ ପୁଅ ଅକାଳରେ ପ୍ରାଣ ହରାଇଛନ୍ତି । ସ୍ତବ୍ଧ ପାଲଟିଯାଇଛି ଗାଁ । ସମସ୍ତେ କାନ୍ଦୁଛନ୍ତି । ଗାଁ ମଶାଣିରେ ତିନି ଜଣଙ୍କ ଜୁଇ ଜଳିଛି ସତ ହେଲେ ଗାଁଲୋକଙ୍କ ଆଖିରୁ ଲୁହ ଶୁଖୁନି ।

ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ । ଖୋର୍ଦ୍ଧା ମଳିପଡାର କୃଷ୍ଣଚନ୍ଦ୍ର, ଦୁଇ ପୁଅ ସଂଜୟ ଓ ବିକ୍ରମଙ୍କ ସହ ମୋଟର ସାଇକେଲରେ ଭୁବନେଶ୍ୱରରୁ ଗାଁକୁ ଫେରୁଥିଲେ । ଆଉ ଅଳ୍ପ ଦୂରରେ ଥିଲା ଗାଁ । କିଛି ସମୟ ପରେ ଘରେ ପହଁଚି ଯାଇଥାନ୍ତେ ପରିବାର । ହେଲେ ବିଧିର ବିଧାନ କିନ୍ତୁ ଅଲଗା ଥିଲା । ଅନ୍ଧାର ରାତିରେ ଗଡଖୋର୍ଦ୍ଧା ଛକ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ହାଇୱା । ଘଟଣାସ୍ଥଳରେ ବାପାଙ୍କ ଜୀବନ ଚାଲିଗଲା । ଦୁଇ ପୁଅ ହସପିଟାଲରେ ଆଖି ବୁଜିଲେ ।