୪ ମାସର ବୈବାହିକ ଜୀବନରେ ପଡିଲା ଭଟ୍ଟା । ସଇତାନ ସାଜିଲା ସ୍ୱାମୀ । ଯୌତୁକ ଦାବିରେ ତଂଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗ

ବିଛଣାରେ ପଡି ନ୍ୟାୟ ଅପେକ୍ଷା ଲକ୍ଷ୍ମୀପ୍ରିୟା

319

କନକ ବ୍ୟୁରୋ: ନାରୀ ସୁରକ୍ଷା ଓ ନାରୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା ଜାରି ରହିଛି । କିନ୍ତୁ ଏବେ ବି ଅନେକ କ୍ଷେତ୍ରରେ ନାରୀ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗାଁର ଲକ୍ଷ୍ମୀପ୍ରିୟା ବେହେରା । ଯିଏ ବିବାହର ମାତ୍ର ୪ ମାସ ଭିତରେ ଶାଶୁଘର ଲୋକଙ୍କ ଯୌତୁକ ନିର୍ଯାତନା ଶିକାର ହୋଇ ଶଯ୍ୟାଶାୟୀ ହୋଇଛନ୍ତି ।

ଦେଖନ୍ତୁ ଏହି ଦୁଇଟି ଚିତ୍ରକୁ । ଗୋଟିଏ ଚଳିତ ବର୍ଷ ଜୁନ୍ ମାସର, ଅନ୍ୟଟି ନଭେମ୍ବରର । ଜୁନ୍ ୧୬ ତାରିଖରେ ଅନେକ ସ୍ୱପ୍ନ ନେଇ ବିବାହ ବେଦୀରେ ବସିଥିବା ଲକ୍ଷ୍ମୀପ୍ରିୟା ବେହେରା ଅକ୍ଟୋବର ୧୭ ତାରିଖରୁ ଶଯ୍ୟାଶାୟୀ । ବୈବାହିକ ଜୀବନର ମାତ୍ର ୪ ମାସ ଭିତରେ ତାଙ୍କ ସହ ଘଟିଥିବା ଘଟଣାକୁ ବି କହିବା ପାଇଁ ତାଙ୍କର ଶକ୍ତି ନାହିଁ । ଅଭିଯୋଗ ଅନୁସାରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ଯୌତୁକ ନିର୍ଯାତନା ଲକ୍ଷ୍ମୀପ୍ରିୟାଙ୍କୁ ଏହି ବେଡ୍ ଉପରେ ପଡି ରହିବାକୁ ବାଧ୍ୟ କରିଛି ।

କଟକ ଗୋବିନ୍ଦପୁର ଥାନା ବ୍ରାହ୍ମଣ ସାଇଲୋ ଗାଁର ବିପିନି ବେହେରାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଗତ ଜୁନରେ ସେହି ଥାନା ବଡ ଖରମଙ୍ଗା ଗାଁର ସୁଦର୍ଶନ ବେଉରାଙ୍କ ପୁଅ ରାଜେଶକୁ ବିବାହ କରିଥିଲେ । ବିବାହ ସମୟରେ ଜାନି ଯୌତୁକ ମଧ୍ୟ ଦେଇଥିଲେ ଲକ୍ଷ୍ମୀଙ୍କ ବାପା । ହେଲେ ବିବାହ ମାତ୍ର ୮ ଦିନ ପରଠାରୁ ଝିଅକୁ ଜ୍ୱାଇଁ ଓ ଶାଶୁଘର ଲୋକ ନିର୍ଯାତନା ଦେଇ ମାରି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତଥାପି ପୁଲିସ କୌଣସି ପଦକ୍ଷେପ ନେଉନଥିବା ଲକ୍ଷ୍ମୀଙ୍କ ମାଆ ଅଭିଯୋଗ କରିଛନ୍ତି । ସେପଟେ କଟକ ସଦର ଉପଖଣ୍ଡ ଏସ୍.ଡି.ପି.ଓ କହିଛନ୍ତି ଅଭିଯୋଗ ଆଧାରରେ ଯୌତୁର ନିର୍ଯାତନା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ତେବେ ବଧୁ ନିର୍ଯ୍ୟତନା ଘଟଣାର ତଦନ୍ତ ପରେ ବିଚାରର କଣ ହେବ ତାହା ତ ସମୟ କହିବ ହେଲେ ବାହା ହୋଇ ନୂଆ ସଂସାର ଗଢିବାର ସ୍ୱାପ୍ନ ନେଇ ଆଗକୁ ବଢିଥିବା ଲକ୍ଷ୍ମୀପ୍ରିୟା ବାପଘର ଖଟରେ ପଡି ଭବିଷତ୍ୟକୁ ଅପେକ୍ଷା କରିଛନ୍ତି ।