ମୋଦି ନେଇଗଲେ ‘ମମତା’! କେନ୍ଦ୍ର ଓ ରାଜ୍ୟର ମିଳିତ ଯୋଜନାରେ ଗର୍ଭବତୀ ପାଇବେ ୬ହଜାର ଟଙ୍କା

21

କନକ ବ୍ୟୁରୋ : ଗର୍ଭବତୀ ମହିଳାଙ୍କୁ ନେଇ ୨୦୧୧ରୁ ନବୀନ ସରକାର ଆରମ୍ଭ କରିଥିବା ମମତା ଯୋଜନାକୁ ଛଡ଼ାଇନେଲେ ମୋଦି । ଏଣିକି ଏହାକେବଳ ଆଉ ନବୀନଙ୍କ ଯୋଜନା ହୋଇ ରହିବ ନାହିଁ । ଏହି ଯୋଜନା ବଦଳରେ ଲାଗୁ ହେବ ମୋଦିଙ୍କ ଯୋଜନା । ତେବେ ଏଥିରେ ଲାଭବାନ ହେବେ ସରକାରୀ ଡାକ୍ତରଖାନାରେ ପ୍ରସବ କରୁଥିବା ଗର୍ଭବତୀ ମହିଳା ।

ବିମୁଦ୍ରକରଣ ପରେ ଡିସେମ୍ବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶର ଗର୍ଭବତୀ ମହିଳାଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହାପରେ ଓଡ଼ିଶାରେ ୨୦୧୧ରୁ ଆରମ୍ଭ ହୋଇଥିବା ମମତା ଯୋଜନାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା ।

ମମତା ଯୋଜନାରେ ନବୀନ ସରକାର ବର୍ଷକୁ ପ୍ରାୟ ୨୩୦ କୋଟି ଟଙ୍କାର ସହାୟତା ବାଂଟୁଛନ୍ତି । ଆଉ ଏଥିରେ ଉପକୃତ ହେଉଛନ୍ତି ପ୍ରାୟ ୫ ଲକ୍ଷ ଗର୍ଭବତୀ ମହିଳା । ମାତୃମୃତ୍ୟୁ ଓ ଶିଶୁମୃତ୍ୟୁ ହାର କମାଇବାରେ ଏହି ଯୋଜନା ସହାୟକ ହେଉଛି । ନୂଆ ଯୋଜନାର ମୋଡାଲିଟି ପାଇବା ନେଇ ରାଜ୍ୟ ସରକାର ଅପେକ୍ଷା କରିଥିବା ବେଳେ ତିନିଟି କିସ୍ତିରେ ଗର୍ଭବତୀ ମହିଳାଙ୍କୁ ୬ ହଜାର ଟଙ୍କା ଯୋଗାଇ ଦେବା ପାଇଁ ନିୟମ ହୋଇଛି ।

ନୂଆ ଗାଇଡ୍ଲାଇନ୍ ଅନୁସାରେ ୧୦୦ଟଙ୍କାରୁ ମୋଦି ଦେବେ ୬୦ ଟଙ୍କା ଆଉ ନବୀନ ଦେବେ ୪୦ଟଙ୍କା । ଅର୍ଥାତ୍ ଏହି ଯୋଜନାରେ ମୋଦି ଦେବେ ୩,୬୦୦ ଟଙ୍କା ନବୀନ ଦେବେ ୨,୪୦୦ ଟଙ୍କା ।