କେନ୍ଦ୍ରାପଡାର କୁନି ଝିଅକୁ ରାଷ୍ଟ୍ରପତି ଭବନରୁ ଆସିଲା ଡାକରା । ଦିଲ୍ଲୀରେ ସମ୍ମାନିତ ହେବ ପଲ୍ଲୀର ଝିଅ

65

କନକ ବ୍ୟୁରୋ : ଦିଲ୍ଲୀରେ ସାହସିକତାର ପୁରସ୍କାର ପାଇବ ପଲ୍ଲୀର କୁନି ଝିଅ । ଆସନ୍ତା ସ୍ୱାଧୀନତା ଦିବସରେ ସାହସିକତା ପାଇଁ ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ଓଡିଆ ଝିଅ ମମତା । ଦିଲ୍ଲୀରେ ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡାର କୁନି ଝିଅ ମମତା । ଆଉ ଏଥିପାଇଁ ରାଷ୍ଟ୍ରପତି ଭବନରୁ ମମତାଙ୍କୁ ଆସିଛି ଡାକରା । ରାଷ୍ଟ୍ରପତି ଭବନରେ ଶୁଭିବ କେନ୍ଦ୍ରାପଡାର କୁନି ଝିଅର ବୀରତ୍ୱର ଗାଥା । ଆଉ ଏହି ପୁରସ୍କାର ପାଇବା ପାଇଁ ମମତା ମନୋନୀତ ହେବା ସହ ରାଜ୍ୟକୁ ଗୌରାବାନ୍ୱିତ କରିଛନ୍ତି ।

ମମତା ଦଳାଇ । ଓଡିଶାର ଏକ ଅଖ୍ୟାତ ଗାଁର ଏକ ଗରିବ ପରିବାରର ଝିଅ ଦିନେ ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ଓ ରାଷ୍ଟ୍ରପତି ତାଙ୍କୁ ପୁରସ୍କାର ଦେବେ ଏକଥା ହୁଏତ କୁନି ଝିଅ ମମତା କେବେ ଚିନ୍ତା କରିନଥିଲେ । କିନ୍ତୁ ଗତ ବର୍ଷ ଏପ୍ରିଲ ୬ ତାରିଖର ଘଟଣା ମମତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବାଙ୍କୁଆଳ ଗ୍ରାମରେ ଘଟିଥିବା ଘଟଣା ମମତାଙ୍କୁ ଚର୍ଚ୍ଚାର ପରିଧି ଭିତରକୁ ଟାଣି ଆଣିଥିଲା । କାରଣ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀକୁ କୁମ୍ଭୀର ଆକ୍ରମଣ କରିଥିଲା ।

ଆଶ୍ଚର୍ୟ୍ୟର କଥା ମଣିଷ ଖିଆ ବିରାଟ କୁମ୍ଭୀରକୁ ଦେଖି ଡରିଯାଇନଥିଲା ମାତ୍ର ୬ ବର୍ଷର ଛୁଆଟିଏ । ପାଣି ଭିତରକୁ ଯାଇଥିଲା ବଡ ଭଉଣୀ ଅଶାନ୍ତି । ଆଉ ଉପରେ ଛିଡା ହୋଇଥିଲା ତାଠାରୁ ବୟସରେ ସାମାନ୍ୟ ସାନ ଭଉଣୀ ମମତା । ଅଶାନ୍ତିର ଡାହାଣ ହାତକୁ କାମୁଡି ଧରିଥିଲା ଏକ ବିରାଟ କୁମ୍ଭୀର ଆଉ ବାମ ହାତକୁ ଧରି ଟାଣି ଆଣିଥିଲା ମମତା । ଉପସ୍ଥିତ ବୁଦ୍ଧି ଖଟାଇଥିଲା ୬ ବର୍ଷର କୁନି ଝିଅଟିଏ । ଆଉ ତାଠାରୁ ସାମାନ୍ୟ ବଡ ଝିଅଟିଏର ଆର ହାତକୁ ଧରି ଭିଡିଆଣିଥିଲା କୂଳକୁ । ମରଣ ମୁହଁରୁ ବଂଚାଇ ଆଣିଥିଲା ତା ଭଉଣୀକୁ । ବୟସରେ ସାନ, କିନ୍ତୁ କାମରେ ବୟସ୍କଙ୍କୁ ପଛରେ ପକାଇ ଦେଇଛନ୍ତି ମମତା । ଗତବର୍ଷ ଏପ୍ରିଲ ୬ତାରିଖରେ ଅଦମ୍ୟ ସାହସ ଦେଖାଇ କେନ୍ଦ୍ରାପଡା ଡାଙ୍ଗମାଳ ଗାଁରେ କୁମ୍ଭୀର ମୁହଁରୁ ନିଜ ଭଉଣୀକୁ ବଂଚାଇଥିଲେ ୬ବର୍ଷୀୟ ମମତା । ଆଉ ଏହାପରେ ମମତାଙ୍କୁ ନେଇ ରାଜ୍ୟ ତଥା ଦେଶରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଏପରିକି ପ୍ରଧାନମନ୍ତ୍ରୀ ମୋଦି ଓ ରାଜ୍ୟ ସରକାର ଅଦମ୍ୟ ସାହସ ପାଇଁ ମମତାଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି । ଆଉ ଏସବୁ ଭିତରେ ପୁଣିଥରେ ଜାତୀୟସ୍ତରରେ ସମ୍ମାନିତ ହେବାକୁ ଯାଉଛନ୍ତି କୁନି ଝିଅ ମମତା ।