ବିବାଦରୁ ବାଦ୍ ପଡ଼ିଲେ : ରାଷ୍ଟ୍ରପତି ପଦକ ପାଇଁ ଦିଲ୍ଲୀ ଯାଇପାରିଲେନି କେନ୍ଦ୍ରାପଡ଼ାର ସାହସୀ ଝିଅ ମମତା

29

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କଠାରୁ ‘ଜୀବନ ରକ୍ଷା’ ପଦକ ପାଇଁ ମନୋନୀତ ହୋଇଥିବା କେନ୍ଦ୍ରାପଡ଼ା ରାଜଗନରର ସାହସୀ ଝିଅ ମମତା ଦଳେଇ ଦିଲ୍ଲୀ ଯାଇନାହାନ୍ତି। ଗତମାସ ୨୭ ତାରିଖରେ ଏଥିପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ୧ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ମମତାଙ୍କୁ ପ୍ରଦାନ କରାଯାଇଥିଲା। ମାତ୍ର, ଜିଲ୍ଲା ପ୍ରଶାସନ ପାଇଁ କୌଣସି ସୂଚନା କିମ୍ବା ନେବାର ବ୍ୟବସ୍ଥା କରାଯାଇନଥିବାରୁ ସେ ଏହି ଗୌରବରୁ ବଞ୍ଚତ ହୋଇଛନ୍ତି। ବିବାଦ କାରଣରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।

୨୦୧୭, ଏପ୍ରିଲ୍ ୪ ତାରିଖରେ ମମତା ତାର ବଡଭଉଣୀ ଅଶାନ୍ତିଙ୍କୁ କୁମ୍ଭୀର ମୁହଁରୁ ରକ୍ଷା କରିଥିଲେ। ତାଙ୍କର ଏହି ସାହସିକତା ପାଇଁ ସେ ରାଜ୍ୟ ତଥା ଜାତୀୟ ସାହସିକତା ପୁରସ୍କାର ପାଇଥିଲେ। କିନ୍ତୁ ହଠାତ୍ ଦେଢ ବର୍ଷ ପରେ ଅର୍ଥାତ୍ ଗତ ୩ ତାରିଖରେ ସେହି ଗାଁର ଜଣେ ବ୍ୟକ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ମମତା ନୁହେଁ ତାଙ୍କ ଝିଅ ପ୍ରତିଭା କୁମ୍ଭୀର ମୁହଁରୁ ଅଶାନ୍ତିଙ୍କୁ ଉଦ୍ଧାର କରିଥିଲି ବୋଲି ଦାବି କରିଥିଲେ।

 

ଏକ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିବାଦ ପାଇଁ ମମତାଙ୍କୁ ଦିଲ୍ଲୀ ପଠାଇବା ପାଇଁ ଜିଲ୍ଲା ପ୍ରଶାସନକୁ ଆଉ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଚିଠି ଅଥବା ଯୋଗାଯୋଗ କରାଯାଇ ନଥିଲା। ମମତାଙ୍କ ବାପା ନିର୍ମଳ ଦଳାଇଙ୍କ କହିବା ଅନୁଯାୟୀ, ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ଯୋଗାଯୋଗ କରା ନଯିବାରୁ ସେମାନେ ଦିଲ୍ଲୀ ଯାଇ ନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ କହିବା ଅନୁଯାୟୀ ମମତାଙ୍କୁ ଦିଲ୍ଲୀ ପଠାଇବା ପାଇଁ କୌଣସି ଚିଠି ନ ଆସିବାରୁ ସେମାନେ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଫଳରେ ମମତା ଆଜି ଆଉ ଦିଲ୍ଲୀ ଯାଇ ପାରି ନଥିବା ଜଣାପଡ଼ିଛି। ତେବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରିବେ ବୋଲି ଶୁଣାଯାଉଛି।