କୋଲକାତାରେ ହାଇଭୋଲଟେଜ ଡ୍ରାମା ! ସିବିଆଇ ଜେରା ଉଦ୍ୟମ ଘଟଣାର ପ୍ରତିବାଦରେ ରାତିସାରା ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

180

କନକ ବ୍ୟୁରୋ : ରାତିସାରା ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । କୋଲକାତା ମେଟ୍ରୋ ରେଳ ଷ୍ଟେସନ ଆଗରେ ଟିଏମସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ଦିଦି । କୋଲକାତା ପୁଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିିବିଆଇକୁ ବିରୋଧ କରି ମମତା ବାନାର୍ଜୀ ଧାରଣା ଦେଇଛନ୍ତି । ଧାରଣାସ୍ଥଳରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ୍ ଶାହାଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ସେମାନଙ୍କ କଥାରେ ପଡି ସିବିଆଇ ପଶ୍ଚିମବଙ୍ଗ ପୁଲିସକୁ ହଇରାଣ କରୁଛି । ଏଭଳି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ହେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ । ତେବେ ସେ ଏହା କରାଇ ଦେବେ ନାହିଁ ।

ଗତକାଲି ଚିଟଫଣ୍ଡ ମାମଲାରେ ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ପାଇଁ ତାଙ୍କ ବାସଭବନରେ ସିବିଆଇ ଅଧିକାରୀ ପହଂଚିବା ପରେ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ରାଜୀବ କୁମାରଙ୍କ ବାସଭବନରେ ସିବିଆଇ ଟିମ୍କୁ ଅଟକାଇଥିଲା କୋଲକାତା ପୋଲିସ । ପରେ ସିବିଆଇର ୫ଜଣ ଅଧିକାରୀଙ୍କୁ କୋଲକାତା ପୋଲିସ ଗିରଫ କରିଥିଲା । ତେବେ ପରେ ସିବିଆଇ ଅଧିକାରୀଙ୍କୁ ଛାଡ଼ିଦେଇଥିଲା ପୁଲିସ୍ ।

ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ ମମତା ଓ ସମୀକ୍ଷା ପରେ ରାଜୀବ କୁମାରଙ୍କୁ ସମର୍ଥନ କରି ଧାରଣା ଦେଇଛନ୍ତି । ଅନ୍ୟପଟେ ମମତାଙ୍କ ଏଭଳି ଆଚରଣର ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର । ସେ ସିବିଆଇ ତଦନ୍ତରେ ବାଧା ଦେଉଥିବାରୁ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଯିବେ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ଏସମ୍ପର୍କରେ ପିଟିସନ ଦାୟର କରିବେ । ଏପଟେ ଧାରଣାସ୍ଥଳର ହିଁ ଆଜି ମମତା କ୍ୟାବିନେଟ୍ ବୈଠକ କରିବା ସହ ବଜେଟ ଅଧିବେଶନକୁ ସମ୍ବୋଧନ କରିବେ ।

ସିବିଆଇକୁ ବିରୋଧ କରି ମମତା ଧାରଣାରେ ବସିବା ପରେ ପଶ୍ଚିମବଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ତୃଣମୂଳ କର୍ମୀ । ସିବିଆଇକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଟିଏମସି କର୍ମୀ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କୁ ବିରୋଧରେ ନାରାବାଜି କରିବା ସହ ସେମାନଙ୍କର କୁଶପୁତଳିକା ଦାହ କରିଛନ୍ତି । କେତେକ ସ୍ଥାନରେ ରେଳ ରୋକ୍ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ଏକ ପ୍ରକାର ଉତେଜନାମୂୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ କୋଲାକାତାର ସିବିଆଇ ବନାମ ପୋଲିସ ମାମଲାରେ ମମତାଙ୍କୁ ସମର୍ଥନ କରିଛନ୍ତି ମହାମେଂଟରେ ଥିବା ଅନ୍ୟ ସହଯୋଗୀ । ଘଟଣା ପରେ ମମତାଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଟ୍ୱିଟ୍ କରି କହିଛନ୍ତି ମୋଦି ଓ ବିଜେପିର ଏକଚ୍ଛତ୍ରବାଦ ବିରୁଦ୍ଧରେ ମମତାଙ୍କ ଲଢ଼େଇକୁ ସେ ସମର୍ଥନ କରୁଛନ୍ତି ଓ ବିରୋଧୀ ଏକାଠି ମିଶି ଲଢ଼ିବେ । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି- ମୋଦିଙ୍କ କାର୍ଯ୍ୟକଳାପ ଗଣତନ୍ତ୍ର ବିରୋଧୀ । ମୋଦି ଦେଶର ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ଥା ପ୍ରତି ଉପହାସ କରିଛନ୍ତି । ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ସେ ନିନ୍ଦା କରିଛନ୍ତି ।

ତେବେ ଆଜି କେଜ୍ରିୱାଲ କୋଲକାତା ଯାଇପାରନ୍ତି ବୋଲି ସୂଚନା ମିଳିଛି । ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ମମତାଙ୍କ ସମର୍ଥନରେ ବାହାରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି-ବିଜେପିର ଶୋଷଣକାରୀ ନେତାମାନେ ସିବିଆଇର ଦୂରୁପଯୋଗ କରୁଛନ୍ତି । ପଦକ୍ଷେପର ଜନତା ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି । ସେହିପରି ଲାଲୁ ଯାଦବ ଟ୍ୱିଟରରେ ଲେଖିଛନ୍ତି- ନିର୍ବାଚନ ଜିତିବା ପାଇଁ ବିଜେପି ଦେଶବାସୀଙ୍କୁ ଏକ ଯୁଦ୍ଧ ଆଡକୁ ଠେଲି ଦେଉଛି । ଏହା ଏକଛତ୍ରବାଦର ନଗ୍ନ ନୃତ୍ୟ ବୋଲି ଲାଲୁ ଯାଦବ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି । ମମତାଙ୍କୁ ସମର୍ଥନ କରି ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଆଜି କୋଲକାତା ଯାଇପାରନ୍ତି ।