ଆସିବ ବଙ୍ଗ ବିବାଦର ବଡ଼ ରାୟ: ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କରିବେ ମମତା, ସିବିଆଇ ବିବାଦରେ ଶୁଣାଣି

କୋଲକାତା ପୋଲିସ କମିଶନରଙ୍କ ସମ୍ପର୍କରେ ପ୍ରମାଣ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ

154

କନକ ବ୍ୟୁରୋ: ବଙ୍ଗ ବିବାଦର ବଡ଼ ରାୟ । ସିବିଆଇ ବନାମ ମମତା ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଯଦିଓ ତ୍ୱରିତ ବିଚାର ପାଇଁ ସିବିଆଇର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି, ତଥାପି ଆଜି ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି- ପ୍ରମାଣ ନଷ୍ଟ କରୁଥିବା ନେଇ ପଶ୍ଚିମବଙ୍ଗ ସରକାର କିମ୍ବା ପୋଲିସ କମିଶନରଙ୍କ ବିରୋଧରେ କୌଣସି ପ୍ରମାଣ ମିଳେ ତେବେ ଏଭଳି କଠୋର ପଦକ୍ଷେପ ନେବୁ ଯେ, ସେମାନଙ୍କୁ ପସ୍ତାଇବାକୁ ପଡିବ ।

ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରିଛନ୍ତି ସଲିସିଟର ଜେନେରାଲ । ପ୍ରଥମ ଆବେଦନ ହେଉଛି ପୋଲିସ କମିଶନର ତୁରନ୍ତ ଆତ୍ମସମର୍ପଣ କରି ଚିଟଫଣ୍ଡ ସଂପର୍କିତ କୌଣସି ତଥ୍ୟ, ପ୍ରମାଣକୁ ନଷ୍ଟ ନକରନ୍ତୁ । ୨ୟ ଆବେଦନ ହେଉଛି ଅଦାଲତ ଅବମାନନା । ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଆଗତ କରି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ, କୋଲକାତାରେ ରାଜନୈତିକ ଦଳ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଧାରଣାରେ ବସିଥିବାରୁ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି କୋର୍ଟରେ କିଛି ଯୁକ୍ତି ରଖିବାକୁ ଚାହୁଁଥିଲେ । ହେଲେ ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେଇନାହାନ୍ତି । ଆଜି ମାମଲାର ଶୁଣାଣି ପରେ ଜଣାପଡ଼ିବ ସିବିଆଇ ବନାମ ପଶ୍ଚିମବଙ୍ଗ ସରକାର ମାମଲା କେଉଁ ରୂପ ନେଉଛି ।

image courtesy – www.timesnownews.com

ସେପଟେ ଏହି ଘଟଣାରେ ମମତା ବାନାର୍ଜିଙ୍କ ସମର୍ଥନରେ ଆସିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନସିପି ମୁଖ୍ୟ ଶରଦ ପାୱାର ଓ ନ୍ୟାସନାଲ କନଫରେନ୍ସ ପ୍ରମୁଖ ଫାରୁକ୍ ଅବଦୁଲ୍ଲା । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦି ବିରୋଧୀ ଭାବେ ପରିଚିତ ଏହି ତୁଙ୍ଗ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସମର୍ଥନ କରିଛନ୍ତି । କେଜ୍ରିୱାଲ, ମୋଦିଙ୍କ କାର୍ଯ୍ୟକଳାପ ଗଣତନ୍ତ୍ର ବିରୋଧୀ କହିଛନ୍ତି ।