ମୋଦିଙ୍କ ପ୍ରତି ସମର୍ଥନ, ଅମିତ ଶାହଙ୍କୁ ବିରୋଧ

25

କନକ ବ୍ୟୁରୋ: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସର୍ବଦା ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ହଠାତ୍ ନିଜର ସ୍ୱର ପରିବର୍ତ୍ତନ କରିଛନ୍ତି । ମମତା ଏକ ଟିଭି କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ । ସେ ତାଙ୍କୁ ସମର୍ଥନ କରନ୍ତି । କିନ୍ତୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଦେଶରେ ଏକଛତ୍ରବାଦ ଶାସନ ଚଳାଇଛନ୍ତି । ତାଙ୍କ ପାଇଁ ଦେଶବାସୀ ଭୟଭୀତ ହୋଇରହିଛନ୍ତି ବୋଲି ମମତା ସିଏନଏନ୍-ନ୍ୟୁଜ୧୮ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଯୋଗଦେଇ କହିଛନ୍ତି ।

ଏକ ରାଜନୈତିକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କେନ୍ଦ୍ର ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ମୋଦି ନା ଅମିତ ଶାହ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମମତାଙ୍କ ନରମ ମନୋଭାବ ବିଜେପି ଓ ବିରୋଧୀ ଦଳମାନଙ୍କୁ ଚକିତ କରିଛି । ମମତାଙ୍କ ବୟାନ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାକୁ ସମର୍ଥନ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

କିନ୍ତୁ ପଶ୍ଚିମବଙ୍ଗ ବିଜେପି ମମତାଙ୍କୁ ଟାର୍ଗେଟ କରି କହିଛି ଯେ, ତୃଣମୂଳ କଂଗ୍ରେସ ହିଁ ଏକଛତ୍ରବାଦ ଓ ସ୍ୱେଚ୍ଛାଚାରୀ ଶାସନର ପ୍ରତୀକ ଏବଂ ଏହାର ସୁପ୍ରିମୋ ମମତା ଏହାର ମୁଖ୍ୟା ସଂଚାଳିକା । ବିଜେପି ନେତା ଚନ୍ଦ୍ର ବୋଷ କହିଛନ୍ତି ଯେ ଟିଏମସିରେ କେହି ସାମାନ୍ୟ ପ୍ରତିବାଦ କଲେ ତାଙ୍କୁ ଦଳରୁ ବହିଷ୍କାର କରିଦିଆଯାଏ । ଦଳକୁ ଏଭଳି ଭୟଭୀତ କରି ରଖିଥିବା ମମତା ଅନ୍ୟପ୍ରତି ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ କଥା ଚିନ୍ତା କରିବାକୁ ସେ କହିଛନ୍ତି ।