ପୋଲିସ-ସିବିଆଇ ବିବାଦ ! ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଲେ ମମତା, ସେପଟେ ସିବିଆଇ ଅଫିସ ସୁରକ୍ଷାରେ ସିଆରପିଏଫ ।  

239

କନକ ବ୍ୟୁରୋ : ମମତାଙ୍କ ଗଡରେ ହାଇଡ୍ରାମା । ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସମ୍ବିଧାନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ମମତା ବାନାର୍ଜି । ସେପଟେ ସିବିଆଇ ଅଫିସରେ ପହଞ୍ଚିଛନ୍ତି ସିଆରପିଏଫ ଯବାନ । ସିବିଆଇ ଓ ପଶ୍ଚିମବଙ୍ଗ ପୋଲିସ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ବର୍ତ୍ତମାନ ସମୟରେ ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।

ପୋଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ହଟହଟା ହୋଇଥିଲେ ସିବିଆଇ ଅଧିକାରୀ । ଏହା ପରେ ୫ ଜଣ ସିବିଆଇ ଅଫିସରଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ ପୋଲିସ । ଗୋଟିଏ ପଟେ ମେଟ୍ରୋ ଷ୍ଟେସନ ଆଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଧାରଣାରେ ବସିଥିବା ବେଳେ ଏପଟେ କୋଲକାତାର ସିଜିଓ କମ୍ଲେକ୍ସରେ ଥିବା ସିବିଆଇ ଅଫିସର ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ସିଆରପିଏଫ ଯବାନ ।

କୋଲକାତା ପୁଲିସ କମିସନରଙ୍କ ଘରକୁ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିଲା ସିବିଆଇ । ହେଲେ କୋଲକାତା ପୁଲିସ କମିସନରଙ୍କ ଘରକୁ ଘେରାବନ୍ଦୀ କରି ୫ ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାପରେ କୋଲକାତାରେ କେନ୍ଦ୍ର ବନାମ ରାଜ୍ୟ ସରକାରଙ୍କ ଲଢେଇ ଚରମ ସୀମାରେ ପହଂଚିଛି । ସାମ୍ବିଧାନିକ ସଂସ୍ଥାକୁ ବିରୋଧ କରିବା ପରଂପରା ଦେଶର ଅନ୍ୟ କୌଣସିଠାରେ ଦେଖିବାକୁ ମିଳିନଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ତିକ୍ତତା ସାରା ଦେଶକୁ ଜଣା । କିଛି ଦିନ ତଳେ ସିବିଆଇକୁ ପଶ୍ଚିମବଙ୍ଗକୁ ପୁରାଇ ଦେବ ନାହିଁ ବୋଲି ଘୋଷଣା କରିଥିଲେ ମମତା । ଯାହାକୁ ଆଜି କାର୍ଯ୍ୟକାରୀ କରିଛନ୍ତି ଓ ଏବେ ପଶ୍ଚିମବଙ୍ଗରେ ଏକ ପଲଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । କୋଲକାତା ପୁଲିସ ସିବିଆଇ ଅଧିକାରୀଙ୍କୁ ଗିରଫ କରିବା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।