ମମତାଙ୍କ ସାହାସିକତାର କାହାଣୀ ନବୀନଙ୍କ ମୁହଁରେ ଫୁଟାଇଲା ହସ ! କେନ୍ଦ୍ରାପଡ଼ାର କୁନି ଝିଅକୁ ପୁରସ୍କୃତ କଲା ବେଳେ ସ୍ନେହକଲେ ନବୀନ

50

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ କାମ ପାଇଁ ଆଜି ମିଳିଛି ପୋଲିସ ମେଡାଲ । ବିଭିନ୍ନ ବିଭାଗର ୨୬ ଜଣ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ସାହସିକତା ପଦକ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୭ ଜଣ, ସାହସିକତା ପାଇଁ ୩ ଜଣ ଏବଂ ଉତମ ପୋଲିସ ଟ୍ରେନିଂ ପାଇଁ ୩ ଜଣଙ୍କୁ ପୋଲିସ ମେଡାଲ ଦିଆଯାଇଛି । ତେବେ ସମସ୍ତଙ୍କ ମୁହଁରେ ହସ ଆଉ ହାତରୁ କରତାଳି ଫାଟିପଡିଥିଲା ଯେତେବେଳେ ଦୁଇ ଶିଶୁଙ୍କୁ ରାଷ୍ଟ୍ରପତି ପଦକ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଜଣେ କୁନି ପିଲାର ସାହାସିକତାର କାହାଣୀ, କେନ୍ଦ୍ରାପଡ଼ାର କୁନି ଝିଅ ମମତା ଦଳାଇଙ୍କୁ ଯେତେବେଳେ ଜୀବନ ରକ୍ଷା ପଦକ ଦେବା ପାଇଁ ଗୃହସଚିବ ପ୍ରଶସ୍ତିପତ୍ର ପଢ଼ୁଥିଲେ, ସେତେବେଳେ ବେଶ ଉତ୍ସକତାର ସହ ମମତାକୁ ଚାହିଁ ରହିଥିଲେ ମୁଖ୍ୟମନ୍ତ୍ରୀ । ମମତାକୁ ପଦକ ଏବଂ ପୁରସ୍କାର ରାଶି ଦେବା ସହ ଅତି ଶ୍ରଦ୍ଧାରେ ମମତାଙ୍କ ମୁଣ୍ଡକୁ ଆଉଁସି ଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏଭଳି ଦୃଶ୍ୟ ପୁରା ପରିବେଶକୁ କରତାଳିରେ ଗୁଂଜରିତ କରିଥିଲା ।

ମମତା ଏହି ସାହାସିକତାର ପରିଚୟ ଦେଇଥିଲେ ପ୍ରାୟ ଦେଢ ବର୍ଷ ପୂର୍ବରୁ । ଯେତେବେଳେ ମମତା, ବଡ ଭଉଣୀଙ୍କୁ କୁମ୍ଭୀର ମୁହଁରୁ ରକ୍ଷା କରିଥିଲେ ।୪ ଏପ୍ରିଲ ୨୦୧୭ । ଡାଙ୍ଗମାଳ ଗାଁ, କେନ୍ଦ୍ରାପଡାର ସାହସୀ ଝିଅ ମମତା ଦଳେଇ । ବଡ ଭଉଣୀ ସାଙ୍ଗରେ ପୋଖରୀକୁ ଶୌଚ ହେବାପାଇଁ ଯାଇଥିଲା ମମତା । ହଠାତ ପୋଖରୀ ଭିତରୁ ଏକ ଥଂଟିଆ କୁମ୍ଭୀର ଯେତେବେଳେ ବଡ ଭଉଣୀ ଅଶାନ୍ତିର ଡାହାଣ ହାତକୁ ତାର ମୁନିଆ ଦାନ୍ତରେ ଭିଡି ଧରିଥିଲା ଠିକ୍ ସେତିକିବେଳେ ପାଖରେ ଛିଡା ହୋଇଥିବା ସାନ ଭଉଣୀ ମମତା ଦେଖାଇଥିଲା ଅଦମ୍ୟ ସାହସ । ୫ ଫୁଟିଆ କୁମ୍ଭୀରକୁ ଦେଖି ଯେଉଁଠି ବଡବଡ ଲୋକଙ୍କର ବି ବୁଦ୍ଧି ହଜିଯାଏ, ସେତିକିବେଳେ ଡରିନଯାଇ ଅସୀମ ସାହସ ଦେଖାଇଥିଲା ଏହି ୬ ବର୍ଷର ଏହି କୁନି ଝିଅଟି । ଅଶାନ୍ତିର ବାମ ହାତକୁ ଧରି ଟାଣି ଆଣିଥିଲା ମମତା । ଆଉ ମଣିଷ ଖିଆ କୁମ୍ଭୀର ମୁହଁରୁ ଛଡାଇ ଆଣିଥିଲା ଭଉଣୀକୁ ।

ଠିକ୍ ମମତାଙ୍କ ଭଳି କେନ୍ଦୁଝରର ୧୪ ବର୍ଷର ବାଳକ ପଂକଜ ମହାନ୍ତ ବି ନିଜ ଜୀବନକୁ ବାଜି ଲଗାଇ ୩ଜଣ ମହିଳାଙ୍କ ଜୀବନ ଉଦ୍ଧାର କରିଥିଲେ । ପଂକଜଙ୍କୁ ମଧ୍ୟ ଜୀବନ ରକ୍ଷା ପଦକ ଦେବା ସହ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ୨୨ ମେ’ ୨୦୧୭ । ବୈତରଣୀ ନଦୀ ଗଣ୍ଡ, କେନ୍ଦୁଝରରେ ଯେଉଁ ଘଟଣା ଘଟିଥିଲା ତାହା ସମସ୍ତଙ୍କୁ ତାଜୁବ କରିଥିଲା । ବୈଜୟନ୍ତ ମହାନ୍ତ , ସୁଜିତା ମହାନ୍ତ ଓ ପୁଷ୍ପଲତା ମହାନ୍ତ । ନିଜ ଜୀବନକୁ ବାଜି ଲଗାଇ ଏହି ତିନି ମହିଳାଙ୍କୁ ବଂଚାଇ ଦେଇଥିଲେ ସାହାସୀ ବାଳକ ପଂକଜ । କେନ୍ଦୁଝର ଚମ୍ପୁଆ ବ୍ଳକ କାଟୁଳିକନା ଗାଁର ବୈଜୟନ୍ତୀ ମହାନ୍ତ ଗାଧୋଇବାକୁ ଯାଇଥିଲେ ବୈତରଣୀ ନଦୀକୁ । ଗାଧୋଉଥିବା ବେଳେ ଗୋଡ ଖସି ଯାଇଥିଲା ଚୋରାବାଲିରେ । ତାଙ୍କୁ ରକ୍ଷା କରିବା ପାଇଁ ସୁଜିତା ଓ ପୁଷ୍ପଲତା ପାଣି ଭିତରକୁ କୁଦି ପଡିଥିଲେ । ମାତ୍ର ତିନି ଜଣ ଯାକ ଗଣ୍ଡରେ ପଡି ଥଳ କୂଳ ପାଇନଥିଲେ ଆଉ ଜୀବନ ବିକଳରେ ସହାୟତା ଲାଗି ଚିକ୍ରାର କରିଥିଲେ । ଏତିକିବେଳେ ମାଆଙ୍କ ସହ ଗାଧୋଇବାକୁ ଆସିଥିବା ସାହାସୀ ପଂକଜ ଡେଇଁ ପଡିଥିଲେ ପାଣି ଭିତରକୁ । ନିଜ ଜୀବନକୁ ପରୱା ନକରି ଜଣକ ପରେ ଜଣେ ତିନି ଜଣକୁ ପହଁରି ପହଁରି କୂଳକୁ ଆଣିଥିଲେ । ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରାପଡାର ୬ବର୍ଷର କୁନି ଝିଅ ମମତା ଦଳାଇ ଓ କେନ୍ଦୁଝରର ୧୪ ବର୍ଷର ଶିଶୁ ପଙ୍କଜ ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି ।