ଉତ୍ସବ ମୁଖରିତ ଲାଲଗଡ । ମାଲ୍ୟବନ୍ତ ମହୋତ୍ସବ ୨୦୧୮ରେ ନାଚିନାଚି ବେଦମ ହେଲେ ନେତା, ବିଧାୟକ ଓ ସରକାରୀ ଅଧିକାରୀ

ଓଡିଶୀ, ବିହୁ ଓ ଲୋକ ନୃତ୍ୟରେ ଝୁମିଲେ ଦର୍ଶକ

133

କନକ ବ୍ୟରୋ: ସେଲିବ୍ରେସନ ମୁଡରେ ଲାଲଗଡ । ନେତା, ବିଧାୟକ ଓ ଆଇ.ଏ.ଏସ ଅଧିକାରୀ, ସମସ୍ତେ ନାଚିନାଚି ବେଦମ । ଏ ଅବସର ହେଉଛି ମାଲକାନଗିରିର ଗଣପର୍ବ ମାଲ୍ୟବନ୍ତ ଉଦଘାଟନୀ ଉତ୍ସବର । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରିଥିବା କଳସ ଶୋଭାଯାତ୍ର ମାଲ୍ୟବନ୍ତ ପଡିଆରେ ପହଂଚିବା ପରେ ମୁକ୍ତାକାଶ ରଂଗମଂଚରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ।

ଭୁବନେଶ୍ୱରର ସୁନାମ ଧନ୍ୟ ନୃତ୍ୟଶିଳ୍ପୀ ପୁଷ୍ପିତା ମିଶ୍ରଙ୍କ ଦଳ ପରିବେଶଣ କରିଥିଲେ ଓଡିଶି ନୃତ୍ୟ । ପରେ ପରେ ମାଲକାନଗିରିର କୋୟା ନୃତ୍ୟ, ଆଦିମ ବଣ୍ଡା ଜନଜାତୀଙ୍କ ନାଚ ଗୀତ, ଆସମ ନଟରାଜ ଗ୍ରୁପର ବିହୁ ନୃତ୍ୟ, ଦର୍ଶକଙ୍କୁ ମତୁଆଲା କରିଥିଲା । ସେହିପରି କୋଲକାତା ଉପାସନା ଗ୍ରୁପ ଦ୍ୱାରା ବଙ୍ଗିୟ ପରମ୍ପରା ଏବଂ ଖଦ୍ୟ ଉପରେ ଆଧାରିତ ନୃତ୍ୟ ଶିତୁଆ ରାତିରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ପଂଚାୟତ ସ୍ତରରୁ ଆରମ୍ଭ ହୋଇ ମାଲ୍ୟବନ୍ତ ଉତ୍ସବ ବ୍ଲକ ସ୍ତରରେ ପାଳିତ ହୋଇଥିଲା । ୨୦୦୩ ମସିହା ଠାରୁ ଆରମ୍ଭ ହୋଇ ମାଲ୍ୟବନ୍ତ ମହୋତ୍ସବ ୧୬ତମ ଉତ୍ସବ ପାଳନ କରୁଛି ମାଲକାନଗିରି ଜିଲ୍ଲା । ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ୨୦୧୮କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରମେଶ ମାଝୀ ।

କଳା ସଂସ୍କୃତିର ଆଦାନ ପ୍ରଦାନ ସହ, ମାଓ ଉପଦୃତ ମାଲକାନଗିରି ଜିଲ୍ଲାରେ ବିକାଶର ବାର୍ତା ବହନ କରୁଛି ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ । ଆଗାମି ୧୩ ତାରିଖ ଯାଏଁ ମାଲ୍ୟବନ୍ତ ମୁକ୍ତାକାଶ ରଂଗମଂଚରେ ଜାରି ରହିବ ସାଂସ୍କୃୃତିକ କାର୍ଜ୍ୟକ୍ରମ, ୫ ଦିନ ଧରି ଚାଲିବ ପଲ୍ଲିଶ୍ରୀ ମେଳା ।