ଲିକର କିଙ୍ଗ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ! ଇଡି ଓ ସିବିଆଇର ଖୁଲାସା, ୬ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣକୁ ବିଦେଶୀ ସେଲ କଂପାନୀରେ ପରିବର୍ତ୍ତିତ କରିଛନ୍ତି କିଙ୍ଗଫିସର ଏୟାରଲାଇନ୍ସ ମାଲିକ

15

କନକ ବ୍ୟୁରୋ : ଲିକର କିଙ୍ଗ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଭାରତରୁ ଫେରାର ମାଲ୍ୟା ଇଂଲଣ୍ଡରେ ଥିବା ବେଳେ ତାଙ୍କ ନାଁରେ ବଡ ଖୁଲାସା କରିଛନ୍ତି ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇ । ଲୋନ୍ ଆକାରରେ ନେଇଥିବା ୬ ହଜାର କୋଟିରୁ ଅଧିକ ଟଙ୍କାକୁ ବିଦେଶରେ ସେଲ୍ କଂପାନୀରେ ପରିବର୍ତ୍ତିତ କରିଛନ୍ତି ମାଲ୍ୟା । ଏହି ଟଙ୍କାକୁ ଭାରତର ବିଭିନ୍ନ ବ୍ୟାଙ୍କରୁ କିଙ୍ଗଫିସର ଏୟାରଲାଇନ୍ସ ନାଁରେ ଋଣ ଆକାରରେ ନେଇଥିଲେ ଲିକର କିଙ୍ଗ ବିଜୟ ମାଲ୍ୟା ।

୭ଟି ଦେଶରେ ଥିବା ସେଲ୍ କଂପାନୀ ଗୁଡିକରେ ଏହି ଟଙ୍କାକୁ ମାଲ୍ୟା ନିବେଶ କରିଥିବା ଇଡି ଓ ସିବିଆଇ କହିଛି । ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଆୟର୍ଲାଣ୍ଡରେ ଥିବା ସେଲ୍ କଂପାନୀଗୁଡିକୁ ତଥ୍ୟ ମଗାଯାଇଛି । କିଙ୍ଗଫିସର ଏୟାରଲାଇନ୍ସର ଅବସ୍ଥା ସୁଧାରିବାକୁ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନସୋର୍ଟିଅମରୁ ୬ ହଜାର ୨୭ କୋଟି ଟଙ୍କା ଋଣ ନେଇଥିଲେ ମାଲ୍ୟା । ଏହି ଆଧାରରେ ଇଂଲଣ୍ଡରୁ ମାଲ୍ୟାଙ୍କୁ ଶୀଘ୍ର ଭାରତ ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ ।