ସ୍ୱାଭିମାନର ସହ ବଂଚିବା ପାଇଁ ସଂଘର୍ଷ…ସ୍ୱଳ୍ପ ବୟସରେ ପରିବାରର ମୁଖିଆ ସାଜିଛି ସୋମା…ମୁଣ୍ଡ ଉପରେ ବାପାମାଆଙ୍କ ହାତ ନଥିଲେ ବି ବିପଥଗାମୀ ନହୋଇ ସମାଜରେ ମୁଣ୍ଡ ଟେକି ଠିଆ ହେବାକୁ ପଣ କରିଛନ୍ତି ୫ ଅନାଥ

267

କନକ ବ୍ୟୁରୋ: ସ୍ୱଳ୍ପ ବୟସରେ ପରିବାରର ମୁଖିଆ ସାଜିଛି ସୋମା ମାଡକାମି । ପାଠ ପଢିବା ସହ ସୋମା ଏବେ ବୋହି ଚାଲିଛି ୪ ଭାଇ-ଭଉଣୀଙ୍କ ବୋଝ । ତଥାପି ପେଟ ଭରି ଟିକିଏ ଖାଇବାକୁ ମିଳୁ ନଥିବା ବେଳେ ଭୋକ ଉପାସରେ ଦିନ କାଟିବାକୁ ପଡୁଛି । ତେବେ ଯାହା କିଛି ସରକାରୀ ସହାୟତା ମିଳିଥିଲା ସେ ବି ସରିଯାଇଛି ଆଉ ଏହାପରେ ଦୁର୍ବିସହ ହୋଇପଡିଛି ଏହି ୫ ଅନାଥ ଭାଇ-ଭଉଣୀଙ୍କ ଜୀବନ ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ ମାଟେରୁ ଗାଁରେ ସୋମା ପଡିଆମିର ଘର । ବାପା ରାମା ମାଡକାମି ୪ ବର୍ଷ ତଳେ ଆରପାରିକ ଚାଲିଗଲା ପରେ ବର୍ଷକ ତଳେ ଏମାନଙ୍କ ଉପରୁ ମଧ୍ୟ ହଟିଗଲା ମାଆର ପଣତ କାନି । ଏହାପରେ କୁନି କୁନି ପିଲାଙ୍କ ଉପରେ ଖସି ପଡିଥିଲା ଦୁଃଖର ପାହାଡ । ତେବେ ୫ ଭାଇ-ଭଉଣୀଙ୍କ ଅବସ୍ଥା ସଂପର୍କରେ ଜିଲ୍ଲା ପ୍ରଶାସନ ଅବଗତ ହେବା ପରେ ଦୁଇ ଭଉଣୀଙ୍କୁ ଆଶ୍ରମ ବିଦ୍ୟାଳୟରେ ଭର୍ତ୍ତି କରିବା ବ୍ୟବସ୍ଥା କରିଥିଲା । ସେହିପରି ଜିଲ୍ଲାପାଳଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଏମାନଙ୍କୁ ମିଳିଥିଲା । କିନ୍ତୁ ସମୁଦ୍ରକୁ ଶଂଖେ ଭଳି ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ରାଶି ସୋମାର ପାଠପଢା ବାବଦରେ ସବୁ ଖର୍ଚ୍ଚ ହୋଇଗଲା । ଏଭଳି ପରିସ୍ଥିତିରେ ପିଲାମାନେ ଏବେ ବାଧ୍ୟ ହୋଇଛନ୍ତି ପରପାଖରେ ମୁଲ ଲାଗିବାକୁ । ବଂଚିବା ପାଇଁ ଏହି କୁନି କୁନି ପିଲାମାନେ କରୁଛନ୍ତି ଦରିଦ୍ର ସହ ସଂଘର୍ଷ । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ପାଇଁ କୁଲି, ମହୁଲ ଟୋଲା ଏବଂ କେନ୍ଦୁପତ୍ର ଗୋଟାଉଛନ୍ତି । ଆଉ ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଏହି ୫ ଭାଇ-ଭଉଣୀଙ୍କ ଭୋକିଲା ପେଟ । ତଥାପି ସେମାନେ ହାର୍ ମାନିନାହାନ୍ତି । ସ୍ୱାଭିମାନର ସହ ବଂଚିବା ପାଇଁ କରି ଚାଲିଛନ୍ତି ସଂଘର୍ଷ । ମୁଣ୍ଡ ଉପରେ ବାପାମାଆଙ୍କ ହାତ ନଥିଲେ ବି ବିପଥଗାମୀ ନହୋଇ ସମାଜରେ ମୁଣ୍ଡ ଟେକି ଠିଆ ହେବାକୁ ପଣ କରିଛନ୍ତି ।

୫ ଭାଇ, ଭଉଣୀଙ୍କ ସଂଘର୍ଷମୟ ଜୀବନକୁ ଦେଖି କେହି ସହାୟ ହେଉନଥିବା ବେଳେ ପ୍ରଶାସନର ସହଯୋଗ ସମୁଦ୍ରକୁ ଶଂଖେ ଭଳି ମନେ ହେଉଛି । ସେହିପରି ଏହି ବୟସରେ ବି ବୟସ୍କଙ୍କ ଭଳି ସୋମା ଭାଇ, ଭଉଣୀଙ୍କ ଦେଖାଶୁଣା ସହ ନିଜର ପାଠପଢା ଜାରି ରଖିଛି । ଏଭଳି ପରିସ୍ଥିତିରେ ସଂଘର୍ଷରତ ଭାଇ, ଭଉଣୀଙ୍କ ଦୁଃଖଭରା ଜୀବନକୁ ସଳଖ କରିବାରେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ପ୍ରଶାସନ ପକ୍ଷରୁ ସହଯୋଗ ମିଳିଲେ ଏମାନଙ୍କ ଜୀବନରେ ବଡ ଧରଣର ପରିବର୍ତ୍ତନ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।