ଶିକ୍ଷାଗତ ଯୋଗ୍ୟତା ବି.ଏ ପାସ, ହେଲେ ବୃତ୍ତି ଖଲାସି ! ରାଜ୍ୟରେ ବେକାରୀ ସମସ୍ୟାର ଆଉ ଏକ ନଗ୍ନ ଉଦାହରଣ

46

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି । ବେକାରୀ ସମସ୍ୟା ଏବେ କେବଳ ରାଜ୍ୟରେ ନୁହେଁ ସାରା ଭାରତରେ ଲୋକଙ୍କ ପାଇଁ ଚିନ୍ତାର ପାଲଟିଛି । ଏକ ଅଧ୍ୟୟନ ଅନୁସାରେ ଦେଶର ୧୮-୨୪ ବର୍ଷ ମଧ୍ୟରେ ଥିବା ଯୁବପିଢିଙ୍କ ଭିତରେ ବେକାରୀ ପ୍ରମୁଖ ସମସ୍ୟା ଅଟେ । ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଲୋକେ ଚାକିରୀ ପାଉନାହାନ୍ତି । ଏଥିପାଇଁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଲୋକେ କୁଲି କାମ କରିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏମିତି ଜଣେ ସ୍ନାତକ ଶିକ୍ଷାଧାରୀଙ୍କ ବିଷୟରେ ଯିଏ ଚାକରୀ ନପାଇ ଏବେ ଖଲାସି କାମ କରୁଛନ୍ତି ।

ଶିକ୍ଷାଗତ ଯୋଗ୍ୟତା ବି.ଏ ପାସ, ହେଲେ ବୃତ୍ତି – ଖଲାସି । ରାଜ୍ୟରେ ବେକାରୀ ସମସ୍ୟାର ଆଉ ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ । ସ୍ନାତକ ହୋଇ ମଧ୍ୟ କୁଲି କାମ କରୁଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ.ଭି. ୭୯ ଗାଁ ର ଜଣେ ଆଦିବାସୀ ଯୁବକ ଶାତମ୍ବର ସୁନା ଓରଫ ରାଜୁ । ଶାତମ୍ବରଙ୍କ ବାପା ଏମ.ଭି. ୭୯ ଗାଁରେ ବର୍ଷ ବର୍ଷ ଧରି କୁଲି କାମ କରି ଆସୁ ଥିବା ବେଳେ ବହୁ ଦୁଖ କଷ୍ଟରେ ପୁଅ ଶତମ୍ବରକୁ ପାଠ ପଢାଇ ଥିଲେ ।

ପୁଅ ବି.ଏ. ପାସ ସରକାରୀ ଚାକିରି ଖଣ୍ଡେ ପାଇବ ବୋଲି ଆଶା କରି ଥିଲେ ବାପା । ତେବେ ବାପା ପକ୍ଷାଘାତରେ ପୀଡିତ ହୋଇ ପଡିବା ପରେ ବାପାଙ୍କ କୁଲି କାମକୁ ଆପଣାଇଛନ୍ତି ରାଜୁ । ସେପଟେ ରାଜୁଙ୍କ ଛୋଟ ଭାଇ ପାଠ ଛାଡି ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିବା ଜଣାପଡିଛି । ତେବେ ପରିବାରଙ୍କ ଭରଣ ପୋଷଣ ଲାଗି ଖଲାସି ଭାବେ କାମ କରୁଛନ୍ତି ଶାତମ୍ବର ସୁନା । ନିତି ଦିନ ଏମ.ଭି୭୯ ହାଟରେ ସିମେନ୍ଟ, ସାର, ରନ୍ଧନ ଗ୍ୟାସ ଆଦି ବୋହି ନିଜ ପରିବାର ପାଇଁ ଦୁଇ ମୁଠା ଦାନା ଯୋଗାଉଛନ୍ତି ରାଜୁା