ଦୁଷ୍କର୍ମ ଦେଖିଲେ, ଭିଡିଓ କଲେ ! ମାଲକାନଗିରିରେ ଅଭାବନୀୟ ଘଟଣା

28

କନକ ବ୍ୟୁରୋ : ରାସ୍ତା କଡରେ ଜଣେ ଅସହାୟ ମହିଳାଙ୍କ ଇଜ୍ଜତ ବାଜି ଲାଗିଥିଲା, ଆଉ ପ୍ରତିବାଦ କରିବା ପରିବର୍ତ୍ତେ ଭିଡିଓ ରେକର୍ଡ କରୁଥିଲେ ଦେଖଣାହାରୀ । ମାଲକାନଗିରି ଜିଲ୍ଲାର ଏହି ଲଜ୍ଜାଜନକ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।

ସାପ୍ତାହିକ ହାଟ ସାରି ଫେରୁଥିବା ଜଣେ ମହିଳାଙ୍କୁ ରାସ୍ତାକଡରେ ବଳାତ୍କାର ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା ଉଡୁପା ଗାଁର ଏହି ମହିଳାଙ୍କୁ ମାଡ ମାରିବା ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଛତିଶଗଡ ବକାୱାଡା ଗାଁର ଆଡମା ମାଡକାମୀକୁ ଗିରଫ କରିଛି ପୋଲିସ । ମହିଳାଙ୍କୁ ଏକୁଟିଆ ପାଇ ତାଙ୍କସହ ଜୋରଜବରଦସ୍ତ ସଂପର୍କ ରଖିଥିଲା ଅଭିଯୁକ୍ତ । ଏପରିକି ଲୋକଙ୍କ ସମ୍ମୁଖରେ ତାଙ୍କ ଇଜ୍ଜତକୁ ନିଲାମ କରିବାକୁ ବି ପଛାଇନଥିଲା ।

ମହିଳାଙ୍କ ପ୍ରତି ଦୁଷ୍କର୍ମ ହେଉଥିବା ଦେଖି ମଧ୍ୟ କେହି ପ୍ରତିବାଦ କରିନଥିଲେ । ପରେ ମହିଳାଙ୍କ ଗାଁ ଲୋକ ପହଂଚି ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ମାରଧର କରିଥିଲେ । ତେବେ ଅଭିଯୁକ୍ତ ମଧ୍ୟ ପାଲଟା ଆକ୍ରମଣ କରିଥିବାର ଦୃଶ୍ୟ କଏଦ ହୋଇଛି । କଥା କେବଳ ଏତିକିରେ ସରିନଥିଲା ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିନେବା ପରେ ପୁଣି ଏକ ପରିତ୍ୟକ୍ତ ଘରେ ବଳାତ୍କାର କରିଥିଲେ ଆଉକିଛି ବ୍ୟକ୍ତି ।

ବିଚ୍ ରାସ୍ତାରେ ମହିଳାଙ୍କ ପ୍ରତି କୁକର୍ମ ଯେତିକି ସାଙ୍ଘାତିକ, ତାଠାରୁ ଆହୁରି ସାଙ୍ଘାତିକ କଥା ହେଉଛି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଏହାର ପ୍ରତିବାଦ ନକରିବା । ପଥଚାରୀ ପ୍ରତିବାଦ କରିବା ପରିବର୍ତ୍ତେ ଘଟଣା ସମୟର ଦୃଶ୍ୟକୁ କଏଦ କରିଥିଲେ । ଏହି ଭିଡିଓ ସବୁ ଭାଇରାଲ ହେବାପରେ ଏବେ ମାଲକାନଗିରି ପୋଲିସ ନିଜଆଡୁ ମାମଲା କରି ଅଭିଯୁକ୍ତଙ୍କୁ ଛିତଶଗଡ ସୀମାରୁ ଗିରଫ କରିଛି ।

ଦିନ ଦି ପହରରେ ଜଣେ ଅସହାୟ ମହିଳାଙ୍କ ପ୍ରତି ଅସଦାଚରଣ ଘଟଣା ଯେତିକି ସମ୍ବେଦନଶୀଳ, ଏହାକୁ ଦେଖୁଥିବା ଲୋକେ ପ୍ରତିବାଦ ନକରି ମୋବାଇଲରେ ଭିଡିଓ ରେକର୍ଡ କରିବା ତାଠାରୁ ଆହୁରି ସାଙ୍ଘାତିକ । ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।