ସ୍ୱାଭିମାନ ଅଞ୍ଚଳରେ ଉଠିଲା ମାଓ ବିରୋଧୀ ସ୍ୱର । ୩ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ ।

227

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ସ୍ୱର ଉଠିଛି । ଗାଁ ଲୋକଙ୍କର ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣା ପରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇଛନ୍ତି । ହନ୍ତାଳଗୁଡ଼ା-ଯୋଡ଼ା ଆମ୍ବ ଅଞ୍ଚଳରେ ସରକାରୀ କାମକୁ ବିରୋଧ କରିବା ପାଇଁ ମାଓବାଦୀମାନେ ଗାମବାସୀଙ୍କୁ ଉସୁକାଇବାରୁ ଆକ୍ରମଣର ଶିକାର ହୋଇଛନ୍ତି । ଜବାବରେ ମାଓବାଦୀମାନେ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଛନ୍ତି । ଏଥି ସହିତ ମାଓବାଦୀମାନେ କିଛି ମୋଟର ସାଇକେଲ ମଧ୍ୟ ପୋଡ଼ି ଦେଇଥିବା ଜଣାପଡ଼ିଛି ।

ସୂତ୍ର ଅନୁସାରେ ମାଓବାଦୀମାନେ ୩ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି । ଏହା ପରେ ଗ୍ରାମବାସୀ ସେମାନଙ୍କ ପାରମ୍ପରିକ ଅସ୍ତ୍ର ଧରି ବାହାରି ଆସିଛନ୍ତି । ବିରୋଧରେ ତିନି ଗାଁର ଆଦିବାସୀମାନେ ଏକାଠି ହୋଇଛନ୍ତି । ଅନ୍ୟପଟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ପହଞ୍ଚି ଥିବା ଜଣାପଡ଼ିଛି ।

ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ କହିଛନ୍ତି, ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପରମେଟ୍‌ଲା ଫାଣ୍ଡି ଅଞ୍ଚଳରେ ଥିବା ଜନ୍ତୁରାଇ ଗାଁକୁ ପ୍ରାୟ ୨୫ ଜଣ ସଶସ୍ତ୍ର ମାଓବାଦୀ ପ୍ରବେଶ କରିଥିଲେ । ସେମାନେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ ଯେ, ସରକାରୀ ନିର୍ମାଣ କାମକୁ ବିରୋଧ କରନ୍ତୁ । ମାତ୍ର ମାଓବାଦୀଙ୍କ ପ୍ରସ୍ତାବକୁ ଗ୍ରାମବାସୀ ସ୍ୱୀକାର କରି ନଥିଲେ । ଓଲଟା ଗ୍ରାମବାସୀ କହିଥିଲେ, ସରକାର ବିକାଶମୂଳକ କାମ କରୁଛନ୍ତି । ମାଓବାଦୀମାନେ ବିକାଶ ନାଁରେ ବିନାଶ କରୁଛନ୍ତି । ଗ୍ରାମବାସୀଙ୍କୁ କିଛି ଦେଉ ନାହାନ୍ତି। ଗ୍ରାମବାସୀଙ୍କ ଏଭଳି କଥାରେ ମାଓବାଦୀମାନେ ଉତ୍ତେଜିତ ହୋଇଥିଲେ । ଫଳରେ ଜନ୍ତୁରାଇ ଗାଁରେ ବହୁ ସମୟ ଧରି ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।