ଇସ୍ରୋ ଯିବେ ପଛୁଆ ଅଞ୍ଚଳର ପ୍ରତିଭାଶାଳୀ ଛାତ୍ର । ଇସ୍ରୋ ପାଇଁ ମାଲକାନଗିରିରୁ ମନୋନୀତ ହେଲେ ଛାତ୍ର ଅବିନାଶ

356

କନକ ବ୍ୟୁରୋ: ଇସ୍ରୋ ଯିବେ ପଛୁଆ ଅଂଚଳର ପ୍ରତିଭାଶାଳୀ ଛାତ୍ର । ସଫଳ ମହାକାଶ ବିଜ୍ଞାନୀ ହେବେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଛାତ୍ର । ଆଦିବାସୀ ବହୁଳ ମାଲାକନଗିରି ଜିଲ୍ଲାର ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରଣୀର ଛାତ୍ର ଅଭିନାଶ ବେହେରା । ୨୦୧୯-୨୦ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୨୦ ଜଣ ଛାତ୍ର ମନୋନୀତ ହୋଇଥିବା ବେଳେ ଏହି ୨୦ ଜଣିଆ ତାଲିକାରେ ରହିଛନ୍ତି ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଛାତ୍ର ଅଭିନାଶ ବେହେରା ।

ଚଳିତ ବର୍ଷ ଏହି ସମ୍ମାନ ଜନକ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଲାଗି ରାଜ୍ୟର ୩୦୦ ବିଦ୍ୟାଳୟର ୬୨୦୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଆଉ ବ୍ରହ୍ମାଣ୍ଡର ଚମକ୍ରାର ଶୀର୍ଷକରେ ନିଜ ଉଲ୍ଲେଖନୀୟ ଉପସ୍ଥାପନ ଯୋଗୁ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ଲାଭ କରିଥିଲେ ଅଭିନାଶ । ଅବିନାଶଙ୍କ ସହ ମନୋନୀତ ହୋଇଥିବା ୨୦ ଜଣ ଛାତ୍ର ଏବେ ଇସ୍ରୋ ଯିବେ ।

ଅଭିନାଶ ମହାକାଶ ବିଜ୍ଞାନରେ ପିଲାଟି ଦିନରୁ ରୁଚି ରଖୁଥିବା ବେଳେ ଇସ୍ରୋ ପରିଦର୍ଶନ ପୂର୍ବରୁ ମହାକାଶ ଗ୍ରହ, ନକ୍ଷେତ୍ର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାରେ ଲାଗି ପଡିଛନ୍ତି । ପ୍ରତି ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଯୁବ ମହାକାଶ ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରି ଆସିଛି । ତେବେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଅଭିନାଶ ମଧ୍ୟ ଆଗାମୀ ଦିନରେ ସଫଳ ମହାକାଶ ବିଜ୍ଞାନୀ ହୋଇ ପାରିବେ ବୋଲି ଆଶା ରଖିଛନ୍ତି ଅଭିନାଶଙ୍କ ଶିକ୍ଷକ ଓ ଅଭିଭାବକ ।