ପାଣି ଓ ବିଦ୍ୟୁତ ପାଇଁ ସଂଗ୍ରାମ୍ : ଜିଲ୍ଲାପାଳଙ୍କ ବାସଭବନରୁ ପାଣି ସଂଯୋଗ କାଟିଲା ମାଲକାନଗିରି କଂଗ୍ରେସ୍

20

ମାଲକାନଗିରି : ପାଣି ଓ ବିଦ୍ୟୁତ ପାଇଁ ଆରମ୍ଭ ହେଲା ସଂଗ୍ରାମ୍ । ମାଲକାନଗିରିରେ କଂଗ୍ରେସର ଆନ୍ଦୋଳନ ଆଜି ତୀବ୍ର ରୂପ ନେଇଛି । ୧୨ ଘଂଟିଆା ଅର୍ଥେନୈତିକ ଅବରୋଧ ସାଙ୍ଗକୁ ଦଳର କର୍ମୀ ଓ ନେତା ଜିଲ୍ଲାପାଳଙ୍କ ବାସଭବନରୁ ପାଣି ସଂଯୋଗ କାଟି ଦେଇଛନ୍ତି । ସେପଟେ ଦାବି ପୁରଣ ନ ହେବା ପର୍ୟ୍ୟନ୍ତ ଅର୍ଥନୈତିକ ଅବରୋଧ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ମାଲକାନଗିରିରେ କଂଗ୍ରେସର ହିସାବନିକାଶ । ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି ତ ଜିଲ୍ଲାପାଳ ଅନୁଭବ କରନ୍ତୁ । ଜିଲ୍ଲାବାସୀ ପାଣି ପାଉନାହାନ୍ତି ତ ଜିଲ୍ଲାପାଳ ବି ଶୋଷ କଣ ବୁଝନ୍ତୁ । ବିକ୍ଷୋଭ ଓ ବନ୍ଦ ପରେ ଜିଲ୍ଲାପାଳଙ୍କ ବାସଭବନରେ ପାଣିପାଇପ୍ କାଟି ଦେଇଛନ୍ତି ଆନ୍ଦୋଳନକାରୀ ନେତା ଓ କର୍ମୀ ।

ତେବେ ୧୨ ଘଂଟିଆ ବନ୍ଦର ପ୍ରଭାବରେ ଯାନବାହାନ ଚଳାଚଳ ଠପ୍ ହୋଇ ଯାଇଛି । ଦୋକାନବଜାର ମଧ୍ୟ ବନ୍ଦ । କଂଗ୍ରେସର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସହରବାସୀ ଓ ବିଭିନ୍ନ ସଂଗଠନ । ପାଣି ପାଇଁ ମହିଳା କରିଛନ୍ତି ସାଙ୍କେତିକ ଶୋଭାଯାତ୍ରା । ଅଭିଯୋଗ, ଜିଲ୍ଲାରେ ରୀତିମତ ଚାଲିଛି ଅଘୋଷିତ ବିଦ୍ୟୁତକାଟ । କେବଳ ସେତିକି ନୁହେଁ ଦିନଦିନ ଧରି ମୋବାଇଲ୍ ସେବା ବନ୍ଦ ରହୁଛି ।

ସେପଟେ କଂଗ୍ରେସର ଏ ଆନ୍ଦୋଳକୁ ଅତି ହାଲକା ଭାବେ ନେଇଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି ଜିଲ୍ଲାରେ ସବୁ ଠିକଠାକ୍ ଚାଲିଛି । ତେବେ ବାସଭବନରୁ ପାଣି ସଂଯୋଗ କାଟିଥିବା ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ କଂଗ୍ରେସର ଚେତାବନୀ ପାଣି ଓ ବିଦ୍ୟୁତ୍ ସେବା ନେଇ ସରକାର ଠୋସ୍ ପଦକ୍ଷେପ ଗ୍ରହଣ ନକରିବା ଯାଏ ଚାଲିବ ଅର୍ଥନୈତିକ ଅବରୋଧ ଆଉ ଟାର୍ଗେଟରେ ରହିବେ ଜିଲ୍ଲାପାଳ ।