ମାଲକାନଗିରି : ଭଉଣୀ ହେବ ତ ଏମିତି, ସାନ ଭାଇକୁ କିଡନୀ ଦେବେ ବଡ ଭଉଣୀ

117

କନକ ବ୍ୟୁରୋ : ଭାଇ, ଭଉଣୀର ସମ୍ପର୍କ ସତରେ ଅତି ନିଆରା । ଭାଇ ଯେ କେବଳ ଭଉଣୀକୁ ରକ୍ଷା କରିବ ସେକଥା ନୁହେଁ ଦରକାର ପଡ଼ିଲେ ଭଇଣୀ ଜୀବନକୁ ପାଣି ଛଡ଼ାଇ ଭାଇକୁ ରକ୍ଷା କରିବା ପାଇଁ ଆଗେଇ ଆସେ । ଭଉଣୀ ହେବତ ଏମିତି, ଯିଏ ନିଜର ଅଙ୍ଗ ପ୍ରଦାନ କରି ଭାଇକୁ ନୂଆଁ ଜୀବନ ଦେବା ପାଇଁ ଆଗେଇ ଆସିଛି । ଭାଇକୁ କିଡନୀ ଦେବ ଭଉଣୀ । ୧୮ବର୍ଷିୟ ଦେବାଶିଷଙ୍କ ୨ଟି ଯାକ କିଡନୀ ଖରାପ ହୋଇଯାଇଥିବା ବେଳେ ଏବେ ତାଙ୍କ ବଡ ଭଉଣୀ ତୃପ୍ତି ଭାଇଙ୍କୁ କିଡନୀ ଦେବା ପାଇଁ ସ୍ଥିର କରିଛନ୍ତି ।

ମାଲକାନଗିରି ଜିଲ୍ଲାର ଏମଭି ୭୧ଗାଁର ଦୀପକ ଦାଶଙ୍କ ପୁଅ ଦେବାଶିଷ ଗତ ବର୍ଷେ ହେଲା କିଡନୀ ରୋଗରେ ପୀଡିତ ହେବା କାରଣରୁ ତାଙ୍କର ୨ଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ବିଶାଖାପାଟଣାରୁ ଅନେକ ବଡ ବଡ ଡାକ୍ତରଖାନା ବୁଲି ସର୍ବସ୍ୱାନ୍ତ ହୋଇଛନ୍ତି ପରିବାର । ଟ୍ରାନ୍ସପ୍ଲାଂଟ ପାଇଁ କିଡନୀ କିଣିବା ସମ୍ଭବ ନହେବା ଯୋଗୁଁ ଏବେ ଦେବାଶିଷଙ୍କ ବଡଭଉଣୀ ତୃପ୍ତି ତାଙ୍କୁ କିଡନୀ ଦେବା ପାଇଁ ସ୍ଥିର କରିଛନ୍ତି । ତେବେ ଏଥିପାଇଁ ପ୍ରାୟ ୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଟଙ୍କା ଯୋଗାଡ ନହେବା ଯୋଗୁୁଁ ଏପର୍ଯ୍ୟନ୍ତ କିଡନୀ ପ୍ରତ୍ୟାରୋପଣ ହୋଇପାରିନାହିଁ ।

ରାଜ୍ୟ ସରକାରଙ୍କ ଓଏସଟିଏଫ ପାଣ୍ଠିରୁ ୩ଲକ୍ଷ ଟଙ୍କା ମିଳିଥିବାବେଳେ ତାହା ଦେବାଶିଷଙ୍କ ଡାଏଲେସିସରେ ଖର୍ଚ୍ଚ ହୋଇଛି । ଗତ ୮ମାସ ହେଲା ବିଶାଖାପାଟଣାର ଆପୋଲା ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଦେବାଶିଷ । ଏବେ ଅର୍ଥ ଅଭାବରୁ ଆପୋଲୋ ହସ୍ପିଟାଲ ନିକଟରେ ଏକ ଭଡାଘରେ ରହୁଛନ୍ତି ଦେବାଶିଷ ଓ ତାଙ୍କ ପରିବାର । ଏପଟେ ଅର୍ଥ ଯୋଗାଡରେ ଲାଗିପଡିଛନ୍ତି ଭଉଣୀ ତୃପ୍ତି । ସିଲେଇ କାମ କରି କିିଛି ଟଙ୍କା ଜମା କରି ଭାଇର ଚିକିତ୍ସା କରିବା ପାଇଁ ଲାଗିପଡିଛନ୍ତି ତୃପ୍ତି ।