ମାଲକାନଗିରି : କ୍ୟାମେରା ସର୍ଭିଲାନ୍ସରେ ରହିବ ପଂଚାୟତ ନିର୍ବାଚନ ପ୍ରକ୍ରିୟା

79

କନକ ବ୍ୟୁରୋ : ନିର୍ବାଚନ ଉପରେ ଆକାଶମାର୍ଗରୁ ରହିବ ନଜର । କ୍ୟାମେରା ସର୍ଭିଲାନ୍ସରେ ରହିବ ପଂଚାୟତ ନିର୍ବାଚନ ପ୍ରକ୍ରିୟା । ମାଓ ଇଲାକାରେ ଉଡିବ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା । ମାଲକାନଗିରି ବିଚ୍ଛିନ୍ନାଂଚଳର ଅତି ସମ୍ବେଦନଶୀଳ ଅଂଚଳରେ ମୁତୟନ ହୋଇଛି ୧୨ଟି ଡ୍ରୋନ କ୍ୟାମେରା ।

କାଲିମେଳା ବ୍ଲକର ବଡିଗେଟା, ଟେକଗୁଡା, ଭେଜାଙ୍ଗିୱାଡା ଓ ମ୍ୟାନମକୋଣ୍ଡା ପଂଚାୟତର ୧୦୦ରୁ ଅଧିକ ବୁଥ୍ ଉପରେ ଉଡିବୁଲିବ ଡ୍ରୋନ କ୍ୟାମେରା । ବେସ୍ କ୍ୟାମ୍ପର ୧୦ରୁ ୧୫ କିଲୋମିଟର ପରିଧୀରେ କାର୍ଯ୍ୟ କରିବ ମାନବ ବିହୀନ ଡ୍ରୋନ କ୍ୟାମେରା । ୩୦୦ରୁ ୫୦୦ ମିଟର ଉଚ୍ଚରେ ଉଡି ଚିତ୍ର ଉତ୍ତୋଳନ କରିବ ।

ଆକାଶମାର୍ଗରୁ ବିଭିନ୍ନ ସମ୍ବେଦନଶୀଳ ଅଂଚଳର ଚିତ୍ର ଉତ୍ତୋଳନ କରିବା ପରେ ମାଲକାନଗିରିସ୍ଥିତ ପୋଲିସ ମୁଖ୍ୟାଳୟକୁ ପଠାଇବ । ଏଥିପାଇଁ ସ୍ୱତନ୍ତ୍ର ସାଟେଲାଇଟ ଫୋନଯୁକ୍ତ କଂଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯାଇଛି ।

ମାଲକାନଗିରି ବିଚ୍ଛିନ୍ନାଂଚଳର ଲାଲଗଡରେ ୨୫ବର୍ଷ ପରେ ପଡିବ ଭୋଟ୍ । ମାଓବାଦୀଙ୍କ ଫତୁଆକୁ ବେଖାତିର କରି ମତଦାନ ପାଇଁ ମନ ବଳାଇଛନ୍ତି ଭୋଟର । ଆଉ ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୋଲିସ । ଏସପି ନିଜେ ଜନସଂପର୍କ ଶିବିର ଆୟୋଜନ କରି ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।