ମାଲକାନାଗିରି ମାଥିଲି ବ୍ଲକର ହୃଦୟ ବିଦାୟକ ଘଟଣା ! ଜଙ୍ଗଲରେ ଯମଜ ସନ୍ତାନ ଜନ୍ମ ଦେଲେ ପ୍ରସୂତି

27

କନକ ବ୍ୟୁରୋ : ହଜିଗଲା ମାନବିକତା । ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା କିନ୍ତୁ କେହି ସହାୟତା ପାଇଁ ଆସିଲେ ନାହିଁ । ଶେଷରେ ଜଙ୍ଗଲ ଭିତରେ ଯମଜ ସନ୍ତାନ ଜନ୍ମ କଲେ ମହିଳା । ସାମାଜିକ ବାସନ୍ଦ କରାଯାଇଥିବା କାରଣରୁ ସହାୟତା ପାଇଁ କେହି ଆସିଲେ ନାହିଁ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଳା ମାଥିଲି ବ୍ଲକ କେନ୍ଦୁଗୁଡା ଗାଁରେ । ଗାଁର ତ୍ରିଲୋଚନ ପୂଜାରୀ କମାରଗୁଡା ଗାଁର ଗୋରୀକୁ ବିବାହ କରିଥିଲେ । ତେବେ ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁଁ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା । ଫଳରେ ଗାଁ ବାହାରେ ଏକ କୁଡିଆରେ ଉଭୟ ରହୁଥିଲେ ।

ତେବେ ସ୍ୱାମୀ ଘରେ ନଥିବା ସମୟରେ ଗୋରୀ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ସହାୟତା ପାଇଁ କେହି ତାଙ୍କ ପାଖକୁ ଆସିନଥିଲେ । ବାସନ୍ଦ ଭୟରେ ନିଜ ଖୁଡି ବି କଲେ ହତାଦାର । ଶେଷରେ ଗାଁ ପାଖ ଏକ ଜଙ୍ଗଲକୁ ଚାଲିଯାଇଥିଲେ ଗୋରୀ ଏବଂ ସେଠାରେ ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ । ପରେ କେନ୍ଦୁଗୁଡା ଗାଁର ଆଶାକର୍ମୀ ଖବର ପାଇ ୧୦୮ଆମ୍ବୁଲାନ୍ସରେ ପହଂଚି ମା’ ଓ ସନ୍ତାନଙ୍କୁ ମାଥିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।