ମାଲକାନଗିରି ବିଚ୍ଛିନ୍ନାଂଚଳରେ ପ୍ରଜାମେଳି ! ପଣସପୁଟ ଏନକାଉଂଟରକୁ ଚ୍ୟାଲେଂଜ୍ କରି ଏକାଠି ହେଲେ ମାଓବାଦୀ

28

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପୁଣି ଶକ୍ତି ସଂଗ୍ରହ କରୁଛି ଲାଲବାହୀନି । ପଣସପୁଟ୍ ଏନକାଂଉଟରରେ ୩୦ ରୁ ଅଧିକ କ୍ୟାଡର ମରିବା ପରେ ସମସ୍ତେ ଭାବିଥିଲେ ୨୦୧୭ ଶେଷ ସୁଦ୍ଧା ଓଡିଶାରୁ ମାଓବାଦର ମୂଳପୋଛ ହୋଇଯିବ । ହେଲେ ଏକଥାକୁ ଭୁଲ୍ ବୋଲି ପ୍ରମାଣିତ କରି ବିଛିନ୍ନାଂଚଳରେ ଲାଲବାହୀନି ଆରମ୍ଭ କରିଛି ସମାନ୍ତରାଳ ଶାସନ । ଆଦିବାସୀଙ୍କୁ ପ୍ରତିଦିନ ଆୟୋଜନ କରୁଛି ପ୍ରଜାମେଳି । ପଂଚାୟତ ଭୋଟ୍ ବର୍ଜନ କରିବାକୁ ଆହ୍ୱାନ ଦେବାକୁ ଏହି ମେଳିରେ ସାମିଲ ହେଉଛନ୍ତି ଟପ୍ ମାଓନେତା ।

ଆଉ ଶହଶହ ଆଦିବାସୀ ମାଓନେତାଙ୍କୁ ସରକାର ଭାବି ଶୁଣୁଛନ୍ତି ସେମାନଙ୍କ ଗୋଟି ଗୋଟି କଥା । ବିଚ୍ଛିନ୍ନାଂଚଳର ଆନ୍ଧ୍ର ସୀମାନ୍ତବର୍ତ୍ତୀ ରାଲେଗାଡା ପଂଚାୟତରେ ସୁରକ୍ଷାବାହିନୀର ଗୁଳିଗୋଳାକୁ ଖାତିର୍ ନକରି ଚାଲିଛି ପ୍ରଜାମେଳି । ଆଉ ଏହି ମେଳିର ଆୟୋଜନ କରିଛି ମାଓ ସମର୍ଥିତ ରଇତି କୁଲି ସଂଘ । ଆଉ ପ୍ରଜାଙ୍କୁ ଆହ୍ୱାନ ଦେଉଛନ୍ତି ମାଓନେତା ନାକେଶ୍ ଓରଫ୍ ରାମାନା । ଯିଏ ପଣସପୁଟ ଏନକାଉଂଟରରେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁରକ୍ଷାବାହିନୀରୁ ଗୁଳିଠାରୁ ।

ସେହିପରି ବିଚ୍ଛିନ୍ନାଂଚଳର ରଲେଗୋଡା ପଂଚାୟତ । ପଂଚାୟତ ହେଡକ୍ୱାଟର୍, ହେଲେ ପଂଚାୟତ ଅଫିସ୍ ଅନ୍ୟ ଗାଁରେ ଚାଲିଛି ଏକ ଭଡା ଘରେ । ଦୁର୍ଗମ ରାସ୍ତା ପାର୍ କରି ସରକାରଙ୍କ ଟଙ୍କିକିଆ ଚାଉଳ ମିଳୁଛି । ହିତାଧିକାରୀ ପ୍ରତିମାସରେ ଭତ୍ତା ପାଉଛନ୍ତି । ହେଲେ ଏତକ ସୁବିଧା ଛାଡିଦେଲେ ଆଉ ସମସ୍ତ ସରକାରୀ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ । ସ୍କୁଲ୍ ଅଛି ଶିକ୍ଷକ ନାହାଁନ୍ତି । ଅଙ୍ଗନୱାଡି କେନ୍ଦ୍ର ଚାଲିଛି କାଗଜକଲମରେ । ଏ ରାଇଜର ଲୋକେ କେବେ ଡାକ୍ତର ନାହାଁନ୍ତି । ଆଉ ଜୀବନଜୀବିକା କହିଲେ ମାଓବାଦୀଙ୍କ ଇସାରାରେ ଗଂଜେଇ ଚାଷ । ତେଣୁ ଏଥର ମାଓବାଦୀଙ୍କ ଆହ୍ୱାନରେ ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।

ଆଗକୁ ପଂଚାୟତ ନିର୍ବାଚନ । ଏଭଳି ସ୍ଥିତିରେ ଆଦିବାସୀଙ୍କ ମନରେ ସରକାରୀ ବିରୋଧୀ ମାନସିକତା ସୃଷ୍ଟି କରାଇ ପୁଣି ନିଜ ସଂଗଠନକୁ ସୁଦୃଢ କରିବାକୁ ରଣନୀତି ପସ୍ତୁତ କରୁଛି ଲାଲ୍ବାହିନୀ ।