ଲାଲବାହିନୀର ନାଲି ଆଖି ! ୫ ଜଣ ନିର୍ବାଚନ କର୍ମଚାରୀଙ୍କୁ ଅପହରଣ କଲେ ନକ୍ସଲ

40

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ନାଲିଆଖି ଦେଖାଇଛି ଲାଲବାହୀନି । ନିର୍ବାଚନ କାମରେ ଯାଇଥିବା ୫ ଜଣ ସରକାରୀ ଅଧିକାରୀଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ । କନକ ନ୍ୟୁଜକୁ ସୂଚନା ଦେଇ ମାଓବାଦୀ କହିଛନ୍ତି, ଚେତାବନୀ ସତ୍ୱେ ବିଚ୍ଛିନ୍ନାଂଚଳରେ ପହଂଚିଥିବାରୁ ସେମାନଙ୍କୁ ଅପହରଣ କରାଯାଇଛି । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ ତତ୍ପର ହୋଇଉଠିଛି । ଡିଜି ପୋଲିସ କହିଛନ୍ତି, ସେମାନଙ୍କୁ ଠାବ କରିବା ପାଇଁ ଚେଷ୍ଟା କରାଯାଉଛି । ସେପଟେ ଗୃହ ସଚିବ କହିଛନ୍ତି, ଅସମର୍ଥିତ ସୂତ୍ରରୁ ଅପହରଣ ନେଇ ତାଙ୍କ ପାଖରେ ଖବର ପହଁଚିଛି । ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ଚେଷ୍ଟା କରାଯାଉଛି ।

ପ୍ରବୀଣ ସୁରିନ, ଜୁନିୟର ଇଞ୍ଜିନିୟର । କାମିନୀକାନ୍ତ ସି, ଜୁନିଅର ଇଞ୍ଜିନିୟର । ପର୍ଶୁରାମ ବେହେରା, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର । ହୃଷିକେଶ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ । ଏବଂ ଲିଙ୍ଗରାଜ ମାଝୀ, କୃଷି ସହାୟକ । ପଂଚୟତ ନିର୍ବାଚନ କାମରେ ବିଚ୍ଛିନ୍ନାଂଚଳ ଯାଇଥିବା ଏହି ୫ ସରକାରୀ ଅଧିକାରୀଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ । ପଣଷପୁଟ ପଂଚାୟତରେ ନାମାଙ୍କନ ପତ୍ର ଗ୍ରହଣ କରିବାକୁ ପହଂଚିଥିବାବେଳେ ଉଠାଇ ନେଇଛନ୍ତି ନକ୍ସଲ । ଏମାନଙ୍କ ସହ ଜୋଡାମ୍ବ ଗାଁ ମୁଖିଆ ଲକ୍ଷ୍ମଣ ଶିଶାଙ୍କ ପୁଅ ମନୋରଞ୍ଜନ ଶିଶାଙ୍କୁ ବି ଅପହରଣ କରିଛି ଲାଲ ବାହିନୀ ।

ଭୋଟ୍ ବର୍ଜନ ଧମକ ସତ୍ୱେ, ପଂଚାୟତ ନିର୍ବାଚନ କାମରେ ଯାଇଥିବା ସରକାରୀ ଅଧିକାରୀଙ୍କୁ ଉଠାଇ ନେଇଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ନକ୍ସଲ । ପ୍ରଜାକୋର୍ଟରେ ହାଜର କରି ନିର୍ବାଚନରେ ସହଯୋଗ ନକରିବାକୁ ଚେତାବନୀ ଦିଆଯାଇଛି । ଅପହରଣ ନେଇ ଅସମର୍ଥୀତ ସୂତ୍ରରୁ ଖବର ପାଇ ତନାଘନା ଆରମ୍ଭ କରିଛି ଗୃହ ବିଭାଗ ।

ଗତକାଲି ସଂଧ୍ୟାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଶେଷଥର ପାଇଁ ରିପୋର୍ଟ କରିଥିଲେ ଏହି ୫ ଅଧିକାରୀ । ତା ପରଠୁ ଆଉ କୌଣସି ପ୍ରକାର ଯୋଗାଯୋଗ ହୋଇପାରୁ ନାହିଁ । ତେଣୁ ବିଚ୍ଛିନ୍ନାଂଚଳକୁ ପୋଲିସ ପଠାଯାଇଥିବା କହିଛନ୍ତି ଡିଜିପି ।

ପୂର୍ବରୁ ପ୍ରଜାମେଳି କରି ପଂଚାୟତ ଭୋଟ ବହିଷ୍କାର କରିବାକୁ ଚେତାବନୀ ଦେଇଥିଲେ ମାଓବାଦୀ । ଆଉ ଏବେ ସରକାରୀ ଅଧିକାରୀଙ୍କୁ ଅପହରଣ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ।

ପଂଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏଭଳି କାର୍ଯ୍ୟକଳାପ ନକ୍ସଲ ଇଲାକାରେ ନିର୍ବାଚନ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ସୃଷ୍ଟି କରିଛି । ଲଗାତର ପୋଲିସ ଓ ବିଏସଏଫର ଆକ୍ରମଣ ପରେ ଏବେ ପୁଣି ମୁଣ୍ଡ ଉଠାଇବାକୁ ଚେଷ୍ଟା କରୁଛନ୍ତି ମାଓବାଦୀ ।